କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ଗିରଫ, କାର୍‌ରୁ ୬.୫ କେଜି ଗଞ୍ଜେଇ ଓ ୧.୧୦ ଲକ୍ଷ ଟଙ୍କା ଜବତ

ଖଣ୍ଡଗିରି : କନ୍ଧମାଳରୁ ରାଜଧାନୀକୁ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରୁ ଗିରଫ କରିଛି। ଅଭିଯୁକ୍ତ ହେଲା, ଫୁଲେଶ୍ବରୀ ବସ୍ତିରେ ରହୁଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗିରିଡ଼ିପଲ୍ଲୀ ଅଞ୍ଚଳର ମାନସ ରଂଜନ ପାଇକରାୟ ଓରଫ ସନ୍ତୋଷ(୨୨)। ପୁଲିସ ତା’ ନିକଟରୁ ଏକ କାର୍(ଓଡି୦୭ଏଫ୍‌-୫୧୬୧), ୬.୫ କେଜି ଗଞ୍ଜେଇ ଓ ୧ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫୦ ହଜାର ଟଙ୍କା ହେବ।

ପୁଲିସ ସୂଚନାନୁସା‌ରେ, ଅଭିଯୁକ୍ତ ସନ୍ତୋଷ ଗତ କିଛି ଦିନ ଧରି ଏହି କାରବାର ଚଳାଇ ଆସୁଛି ବୋଲି ପୂର୍ବରୁ ସୁରାକ୍‌ ମିଳିଥିଲା। ଆଜି ଅପରାହ୍‌ଣରେ ସେ ଘରକୁ ଫେରିବା ବେଳେ ପୁଲିସ ଅଚାନକ ତା’ କାର୍ ଉପରେ ଚଢ଼ଉ କରିଥିଲା। ଯାଞ୍ଚ କଲା ପରେ ଗାଡ଼ିରୁ ଗଞ୍ଜେଇ ଓ ଟଙ୍କା ମିଳିଥିଲା। ଜବତ ଟଙ୍କା ରାଜଧାନୀରେ ମାଲ୍ ଚାଲାଣରୁ ମିଳିଥିଲେ ବି ପେସାଦାର ସନ୍ତୋଷ ପୁଲିସକୁ ଚକ୍‌ମା ଦେଇ ବିକ୍ରି ପେଣ୍ଠ ବାବଦରେ କୌଣସି ସୂଚନା ଦେଇନଥିଲା।

ସମ୍ବନ୍ଧିତ ଖବର