ଖଣ୍ଡଗିରି : ବଡ଼ ଚତୁରତାର ସହ ଦୀର୍ଘ ଦିନଧରି ଆନ୍ଧ୍ରପ୍ରଦେଶରୁ ବିହାରକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ପେସାଦାର ର୍ୟାକେଟ୍ର ପର୍ଦାଫାସ କରିଛି ଭୁବନେଣ୍ଵର କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ବିଭାଗ। ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ବିଭାଗୀୟ ଅଧିକାରୀମାନେ ଖଣ୍ଡଗିରି ଛକରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଭର୍ତି କଣ୍ଟେନର୍କୁ ଜବତ କରିବା ସହ ବିହାରୀ ଡ୍ରାଇଭର୍ ଓ ହେଲ୍ପରକୁ ଗିରଫ କରିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଗିରଫ ଡ୍ରାଇଭର୍ ଓ ହେଲପର୍କୁ ପଚରାଉଚରା ଚାଲିଛି ଓ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ରୁ ଏକ କଣ୍ଟେନର୍ (ବିଆର୍୦୧ଜିଏଫ୍-୨୫୨୭)ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଭୁବନେଶ୍ୱର ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତେଣୁ ବିଭାଗୀୟ ଅଧିକାରୀମାନେ ସଦଳବଳେ ଖଣ୍ଡଗିରି ଛକରେ ଜଗି ବସିଥିଲେ। ସକାଳ ପ୍ରାୟ ୧୦ଟାବେଳେ ଉକ୍ତ ଗାଡ଼ିଟି ଖଣ୍ଡଗିରି ଛକ ଦେଇ ଅତିକ୍ରମ କରିବାକୁ ବସିଥିବାବେଳେ ବିଭାଗୀୟ ଅଧିକାରୀମାନେ ଅଟକାଇଥିଲେ ଓ ସିଧାସଳଖ ବାଣୀବିହାରସ୍ଥିତ କାର୍ଯ୍ୟାଳୟକୁ ନେଇଥିଲେ।
ସେଠାରେ ଗାଡ଼ିକୁ ଯାଞ୍ଚ କଲାବେଳେ ଡ୍ରାଇଭର କ୍ୟାବିନ୍ ସଂଲଗ୍ନ ଏକ ସ୍ୱତନ୍ତ୍ର କୋଠରିରୁ ବଡ଼ ବଡ଼ ଗଞ୍ଜେଇ ପ୍ୟାକେଟ୍ ସବୁ ଖଞ୍ଜା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ବାହାରକୁ ଏହି କୋଠରିଟି ବଦଳ ଡ୍ରାଇଭରର ବିଶ୍ରାମସ୍ଥଳୀ ଭଳି ଜଣାପଡ଼ୁଥିଲା। କିନ୍ତୁ ଅସଲରେ ତାହା କେବଳ ଗଞ୍ଜେଇ ଚାଲାଣ ପାଇଁ ତିଆରି ହୋଇଥିଲା ବୋଲି ଗିରଫ ଡ୍ରାଇଭର୍ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/ganja.jpg)