ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ପରିସ୍ରା ମିଶାଇ ଅଟାଦଳୁଥିବା ଅଭିଯୋଗରେ ଜଣେ ଗୃହସହାୟିକାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଗୃହସହାୟିକାଙ୍କ ନାମ ରିନା ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। 

Advertisment

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଗାଜିଆବାଦର ଥାନା କ୍ରାସିଙ୍ଗ ରିପବ୍ଲିକ ଅଞ୍ଚଳସ୍ଥ ଏକ ସୋସାଇଟିରେ ରହୁଥିବା ରିୟଲ ଇଷ୍ଟେଟ ବ୍ୟବସାୟୀ ଓ ତାଙ୍କ ପରିବାର କିଛିଦିନ ହେବ କ୍ରମାଗତ ଭାବେ ପେଟ ରୋଗରେ ପୀଡ଼ିତ ରହିବା ସହିତ ଲିଭରଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏନେଇ ପରିବାରଲୋକ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ପ୍ରକାର ଔଷଧ ଖାଇବା ସହିତ ଇନଜେକସନ ବି ନେଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପ୍ରକାର ଉନ୍ନତି ହେଉନାହିଁ।

ପୀଡ଼ିତ ପରିବାର ପୁଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି, ‘ଆମ ଘରେ ଅନେକ ଦିନ ରିନା ନାମକ ମହିଳା ଗୃହ ସହାୟିକା ଭାବେ କାମ କରି ଆସୁଥିଲା। କିଛିଦିନ ହେବ ତାର ସ୍ବଭାବରେ ପରିବର୍ତ୍ତନ ଦେଖିଥିଲୁ। ଆମକୁ ତା ଉପରେ ସନ୍ଦେହ ହୋଇଥିଲା। ତେଣୁ ଆମେ ନଥିବା ବେଳେ ସେ କିପରି ଖାଦ୍ୟ ପ୍ରସ୍ତୁତ କରୁଛି ତାହା ଜାଣିବା ପାଇଁ ରୋଷେଇ ଘରେ ତାର ଅଜଣାତରେ ଏକ ମୋବାଇଲ ଫୋନରୁ କ୍ୟାମେରା ଅନ କରି ରଖି ଦେଇଥିଲୁ।

ଏଥିରେ ରେକର୍ଡ ହୋଇଥିବା ଦୃଶ୍ୟରେ ରିନା ନିଜ ପରିସ୍ରାରେ ଅଟା ଦଳୁଥିବା ଦେଖିବାକୁ ପାଇଥିଲୁ। ରିନା ଦୀର୍ଘ ୮ବର୍ଷ ଧରି ଆମ ଘରେ କାମ କରି ଆସୁଥିଲା। ତେବେ ସେ ଏପରି ଘୃଣ୍ୟ କାମ କେବେ ଠାରୁ କରୁଛି ତାହାକୁ ନେଇ ଚିନ୍ତା ଲାଗୁଛି। ତାର ଏଭଳି ଘୃଣ୍ୟ କାମ ଦ୍ବାରା ଆମ ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଭଲ ରହୁନାହିଁ।’

ପରିବାରଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଗୃହ ସହାୟିକା ରିନାକୁ ଗିରଫ କରିଛି। ଗିରଫ ପରେ ରିନା କହିଛି, ‘ମୋତେ ମାଲିକ ଖୁବ ହଇରାଣ କରୁଥିଲେ। ମୋର ଉପରେ ସର୍ବଦା ନଜର ରଖୁଥିଲେ। ଖାଇବା ବସିବା ଉଠିବାରେ କୌଣସିଥିରେ ସ୍ବାଧୀନତା ନଥିଲା। ତାଙ୍କ କଥା ମୋତେ ବହୁତ ବାଧୁଥିଲା। ତେଣୁ ମୁଁ  ରାଗରେ ପରିସ୍ରା ମିଶା ଖାଦ୍ୟ ଖାଇବାକୁ ଦେଉଥିଲି।’