ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ପୁରୀ ବାଇପାସ୍ରେ ଜଣେ ଯୁବତୀ ଶନିବାର ମଧ୍ୟାହ୍ନରେ ଚାଲିଚାଲି ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତାଙ୍କୁ ପିଛା କରି କିଛି ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ମାଉଜର୍ ଲଗାଇ କାରରେ ଅପହରଣ କରି ନେଇଥିଲେ। ଯୁବତୀଙ୍କ ପରିବାର ଲୋକ ଝିଅକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପାଇ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ଖୋଳତାଡ଼ ଆରମ୍ଭ କରିଥିଲା। ଭୁବନେଶ୍ୱର ଉପକଣ୍ଠ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ସନ୍ଧ୍ୟାରେ ଜଣେ ଅପହରଣକାରୀକୁ ଗିରଫ କରିବା ସହିତ ଯୁବତୀଙ୍କୁ ଉଦ୍ଧାର କରିଛି। ଅପହରଣରେ ବ୍ୟବହୃତ କାରକୁ ମଧ୍ୟ ପୁଲିସ ଜବତ କରିଛି। ଆସନ୍ତାକାଲି ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ଯୁବକର ନାଁ ପ୍ରଭାତ ସ୍ୱାଇଁ। ଘର ନୟାଗଡ଼ ଜିଲ୍ଲା ବିରୁଡ଼ାରେ। ଏଠାରେ ସେ ଜିଜିପି କଲୋନି ନିକଟ ବାଲିଆପଟା ବସ୍ତିରେ ରୁହେ। ପ୍ରଭାତଙ୍କ ଜଣେ ସହଯୋଗୀ ତଥା କାର ଚାଳକ ମିଟୁକୁ ମଧ୍ୟ ପୁଲିସ ଥାନାରେ ଅଟକ ରଖିଛି।
ସୂଚନା ଅନୁଯାୟୀ ଯୁବତୀ ଜଣକ ପାଣ୍ଡରା ଅଞ୍ଚଳରେ ରୁହନ୍ତି। ଶନିବାର ଅପରାହ୍ଣ ପ୍ରାୟ ୨ଟାବେଳେ ସେ ନିକଟରେ ରହୁଥିବା ତାଙ୍କ ବଡ଼ ବାପାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ୪ ଜଣ ଯୁବକ ତାଙ୍କ ନିକଟରେ କାର ଲଗାଇଥିଲେ। ପରେ ମୁଣ୍ଡରେ ମାଉଜର ଲଗାଇ ଯୁବତୀଙ୍କୁ କାର ଭିତରକୁ ଜବରଦସ୍ତ ଟେକି ନେଇଥିଲେ। ଯୁବତୀ ଜଣକ ଯେତେ ଚିତ୍କାର କରିଥିଲେ ମଧ୍ୟ କାର ଭିତରୁ ତାଙ୍କ ସ୍ୱର ବାହାରକୁ ଶୁଭି ନ ଥିଲା। ଦୁର୍ବୃତ୍ତମାନେ ଯୁବତୀଙ୍କୁ କଟକ ଆଡ଼କୁ ନେଇ ଯାଇଥିଲେ। କଟକରେ ରାତିତମାମ ବୁଲାଇବା ପରେ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ନିକାଞ୍ଚନ ଘରକୁ ନେଇ ଗଣ ଦୁଷ୍କର୍ମ କରିଥିବା ସନ୍ଦେହ କରାଯାଉଛି। ଏଥିପାଇଁ ପୁଲିସ ଯୁବତୀଙ୍କୁ ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ମାଇନା କରାଇଛି। ଡାକ୍ତରୀ ମାଇନା ପରେ ଯୁବତୀଙ୍କୁ ଏକ ସର୍ଟଷ୍ଟେ ହୋମ୍ରେ ଛଡ଼ା ଯାଇଛି। ସିଆର୍ପିସିର ଧାରା ୧୬୧ ଅନୁଯାୟୀ ପୁଲିସ ସଂପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରାଇଛି। ଆସନ୍ତାକାଲି ସିଆର୍ପିସି ଧାରା ୧୬୪ ଅନୁଯାୟୀ କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି। ଖଣ୍ଡଗିରିର ଯେଉଁ ଅଞ୍ଚଳରେ ଯୁବତୀ ଜଣକ ରାତି ତମାମ ଥିଲା ପୁଲିସ ସେହି ଘରକୁ ଯାଇ ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/tapas-kidnaper.jpg)
