ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟାକରି ଗଛରେ ଟାଙ୍ଗିଦେଲେ

ତେଜପୁର : ଆସାମର ବିଶ୍ବନାଥ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ୭ ଜଣ ନାବାଳକଙ୍କ ଦ୍ବାରା ଗଣଦୁଷ୍କର୍ମ କରାଯାଇଛି ଏବଂ ପରେ ତାଙ୍କୁ ହତ୍ୟା କରି ଏକ ଗଛରେ ଝୁଲାଇ ଦିଆଯାଇଛି। ବିଶ୍ବନାଥ ଜିଲ୍ଲାର ଗୋହପୁର ଥାନା ଅଧୀନ ଚକ୍‌ଲା ଗ୍ରାମରେ ଗତ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ପୁଲିସ ସୂଚନାନୁଯାୟୀ ଉକ୍ତ ମାମଲାରେ ସମସ୍ତ ଅଭିଯୁକ୍ତ ହାଇସ୍କୁଲ ଛାତ୍ର। ସେମାନେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିଲେ। ଗତ ଶୁକ୍ରବାର ଦିନ ଜଣେ ଛାତ୍ର ପରୀକ୍ଷା ସରିବା ପରେ ପୀଡ଼ିତାଙ୍କୁ ଭୋଜି କରିବା ନାଁରେ ଡାକିଥିଲେ। ତାଙ୍କୁ ଏକ ଘରକୁ ନେଇ ସେଠାରେ ଶୁକ୍ରବାର ରାତିରେ ୭ ଜଣ ନାବାଳକ ଗଣଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କୁ ହତ୍ୟା କରିଥିଲେ ଏବଂ ଘର ନିକଟରେ ଥିବା ଏକ ଜଙ୍ଗଲରେ ସେମାନେ ଏକ ଗଛରେ ନାବାଳିକାଙ୍କୁ ଟାଙ୍ଗି ଦେଇଥିଲେ। ପରିବାର ଲୋକେ ଝିଅକୁ ନପାଇ ପୁଲିସରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଖୋଜାଖୋଜି କରିବାପରେ ଶନିବାର ଦିନ ପୀଡ଼ିତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିଥିଲା। ପୁଲିସ ଉକ୍ତ ଘଟଣାରେ ୭ ନାବାଳକଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ନାବାଳିକାଙ୍କ ଗ୍ରାମବାସୀ ଏବେ ଗୋହପୁର ଥାନା ଘେରାଉ କରିଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର