ଅପହର୍ତା ଗିରଫ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ। ଏଭଳି ଏକ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହର୍ତାକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି। ସେ ହେଲା ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳର କାର୍ତ୍ତିକ ବେହେରା(୨୧)। ଦୀର୍ଘଦିନ ହେବ କାର୍ତ୍ତିକ ସିଆର୍‌ପି ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ନାବାଳିକାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ବାଟଘାଟରେ ହଇରାଣ କରୁଥିଲା। ଏମିତିକି ତାଙ୍କୁ ପ୍ରେମ ନିବେଦନ କରିଥିଲା। ହେଲେ ନାବାଳିକା ଜଣଙ୍କ କାର୍ତ୍ତିକ କଥାରେ ରାଜି ହୋଇ ନଥିଲେ। ତେବେ କାର୍ତ୍ତିକ ପ୍ରତିଶୋଧ ପରାୟଣ ହୋଇ ନାବାଳିକାଙ୍କୁ ଅପହରଣ ପାଇଁ ଯୋଜନା କରିଥିଲା। ତେବେ ଗତ ୧୮ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଇସ୍କନ ମନ୍ଦିରରୁ ଘରକୁ ଫେରୁଥିବା ବେଳେ କାର୍ତ୍ତିକ ତାଙ୍କୁ ଅପହରଣ କରିନେଇଥିଲା। ନାବାଳିକା ଘରକୁ ନଫେରିବାରୁ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ପୁଲିସ ଫୋନ ଟ୍ରାକିଂ କରି ନାବାଳିକାଙ୍କ ଠିକଣା ଠାବ କରିଥିଲା। ଏହାପରେ ପୁଲିସର ଏକ ଟିମ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଭରତପୁର ସ୍ଥିତ କାର୍ତ୍ତିକ ଘରେ ଚଢ଼ାଉ କରି ତାକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାରଲୋକଙ୍କୁ ଜିମା ଦେଇଥିବା ବେଳେ କାର୍ତ୍ତିକକୁ କୋର୍ଟ ଚାଲାଣ କରିଛିି।

ସମ୍ବନ୍ଧିତ ଖବର