ବିବାହର ୩ ମାସ ପୂର୍ବରୁ ଗଣ ଦୁଷ୍କର୍ମ, ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ

କାନପୁର: ଆଉ ୩ ମାସ ପରେ ବାହାଘର ହୋଇଥାନ୍ତା। ଏଥିପାଇଁ ମନରେ କେତେ ସ୍ୱପ୍ନ, କେତେ ଆଶା ନେଇ ପ୍ରସ୍ତୁତ ହେଉଥିଲେ ଜଣେ ଯୁବତୀ। ମାତ୍ର ଯୁବତୀଙ୍କ ଆଶା ଓ ସ୍ୱପ୍ନକୁ ଚୁରମାର କରି ଦେଇଥିଲେ ଦୁଇ ଯୁବକ। ଦୁଇ ଭାଇଙ୍କ ଦ୍ୱାରା ଗଣ ଦୁଷ୍କର୍ମ ହୋଇଥିବା ଜଣେ ଯୁବତୀ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କାନପୁରରେ। ଏହି ଗଣ ଦୁଷ୍କର୍ମ ମାଲାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛନ୍ତି।

ଉତ୍ତରପ୍ରଦେଶ ହମୀରପୁର ଏଏସପି ଲାଲ ସାହେବ ଯାଦବଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,କାନପୁର ଠାରୁ ୪୫ କିଲୋମିଟର ଦୂର ହମିରପୁର ଜିଲ୍ଲାର ମଝଗାଓଁ ଅଞ୍ଚଳର ଜଣେ ୧୮ ବର୍ଷୀୟା ଯୁବତୀଙ୍କର ଆସନ୍ତା ଏପ୍ରିଲ ୨୯ ତାରିଖ ଦିନ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଯୁବତୀଙ୍କ ବାପା ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ଗତ ରବିିବାର ଦିନ ଯୁବତୀଙ୍କ ବାପା ଡ୍ୟୁଟିକୁ ଯାଇଥିବା ବେଳେ ମାଆ ଓ ସାନଭାଇ ମକର ସଂକ୍ରାନ୍ତୀ ପାଇଁ ମାମୁଁ ଘରକୁ ଯାଇଥିଲେ। ଫଳରେ ଘରେ ଯୁବତୀଜଣକ ଏକୁଟିଆ ରହିଯାଇଥିଲେ। ଏହାର ସୁଯୋଗ ନେଇ ଦିନ ବେଳା ପଡୋଶୀ ଦୁଇଭାଇ ସୁନୀଲ ରାଜପୁତ(୨୨ ବର୍ଷ) ଓ ସୋନୁ ରାଜପୁତ(୧୯ ବର୍ଷ) ଜୋର ଜବରଦସ୍ତ ଯୁବତୀଙ୍କ ଘରେ ପଶି ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ନିଜକୁ ଏକ ଘର ଭିତରେ ବନ୍ଦ କରିଦେଇ ଦେହରେ କିରୋସିନି ଢ଼ାଳି ନିଆଁ ଳଗାଇ ଦେଇଥିଲେ। ପଡୋଶୀମାନେ ଆସି ନିଆଁ ଲିଭାଇଲା ବେଳକୁ ଯୁବତୀ ଜଣକ ୯୦ ପ୍ରତିଶତ ପୋଡ଼ିଯାଇ ସେହି ଠାରେ ହିଁ ପ୍ରାଣ ହରାଇଥିଲେ। ଏ ନେଇ ଗତ କାଲି( ସୋମବାର) ମୃତ ଯୁବତୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୩୭୬(ଘ) ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ସୋନୁକୁ ଗିରଫ କରିଛି। ଘଟଣା ପରେ ପରେ ସୁନୀଲ ଫେରାର ହୋଇଯାଇଥିବା ଶ୍ରୀ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର