ଶିକ୍ଷକ ଅଜଣା ପ୍ରେମିକର ପ୍ରେମ-ପତ୍ର ଦେଖି ଗାଳି ଦେବାରୁ ଆତ୍ମହତ୍ୟା କଲେ ୧୫ ବର୍ଷୀୟ ଛାତ୍ରୀ

ପଣ୍ଢାରପୁର: କୌଣସି ଅଜ୍ଞାତ ପ୍ରେମିକର ପ୍ରେମ ପତ୍ର ମହାରାଷ୍ଟ୍ରର ପଣ୍ଢାରପୁରର ଅନ୍ତର୍ଗତ ବାଖ୍ରି ଗାଁର ଜଣେ ୧୫ ବର୍ଷୀୟ ବାଳିକାଙ୍କ ମୃତ୍ୟୁର କାରଣ ହୋଇଛି।

ଅଜଣା ପ୍ରେମିକ ପଠାଇଥିବା ସେ ଚିଠିଟି ଝିଅଟିର ଶ୍ରେଣୀ ଶିକ୍ଷକଙ୍କ ହାତରେ ପଡ଼ିଯିବାରୁ ସେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଗାଳିଗୁଲଜ କରିଥିଲେ। ତା’ପରେ ଶିକ୍ଷକ ଝିଅଟିର ବାପାମାଆଙ୍କୁ ଡକାଇ ଚିଠି ବିଷୟରେ ଜଣାଇଥିଲେ। ଏ ସବୁ ଘଟନାରେ ଲଜ୍ଜିତା ହୋଇ ଛାତ୍ରୀଜଣକ ଦଉଡ଼ି ଦେଇ ମରିବାକୁ ସ୍ଥିର କରିଥିଲେ।

ମୃତା ବାଳିକାର ବାପା କହନ୍ତି ଯେ ସେ ସ୍କୁଲ୍‌ରୁ ଫୋନ୍‌ ପାଇ ପହଞ୍ଚିବା ପରେ ଝିଅ କାନ୍ଦୁଥିବାର ଦେଖି ଥିଲେ। ଶ୍ରେଣୀ ଶିକ୍ଷକ ତାଙ୍କୁ କହିଥିଲେ କି ଝିଅ ଗୋଟାଏ ପ୍ରେମ ପତ୍ର ରଖିଥିଲା। ଝିଅଟି ସଫେଇ ଦେଇ କହିଥିଲା କି, ସେ କାହାକୁ ପ୍ରେମ କରୁ ନାହିଁ କି, ତାକୁ କିଏ ଚିଠି ଲେଖିଛି ସେ ଜାଣେନା। ବାପା ତାକୁ ଘରକୁ ନେଇ ଆସିଲେ କିନ୍ତୁ, ସେ ସମଗ୍ର ଘଟନା ଯୋଗୁଁ ଖୁବ୍‌ ବିବ୍ରତ ହୋଇ ପଡ଼ିଥିଲା। ସନ୍ଧ୍ୟାବେଳେ ଘରେ କେହି ନ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲା।

ମୃତା ଝିଅଟିର ସାଙ୍ଗମାନେ କହୁଛନ୍ତି କି, ଶ୍ରେଣୀ ଶିକ୍ଷକଙ୍କ ଗାଳି ଯୋଗୁଁ ସେ ଖୁବ୍‌ ବିବ୍ରତ ହୋଇ ଯାଇଥିଲା। ଶିକ୍ଷକ ବାପାଙ୍କୁ ସ୍କୁଲ୍‌କୁ ଡକାଇବା କାରଣରୁ ବି ସେ ଆହୁରି ବ୍ୟସ୍ତ ହୋଇ ଯାଇଥିଲା।

ଝିଅଟି ଆତ୍ମହତ୍ୟା କରିବା ପରେ ବାଖ୍ରି ଗାଁ ଲୋକେ ପଣ୍ଢାରପୁର ଥାନା ବାହାରେ ପ୍ରତିବାଦ କରିଥିଲେ। ପୁଲିସ ଏହି ଘଟନାରେ ଏକ ମାମଲା ରୁଜୁ କରିଥିଲେ ବି ଅଜ୍ଞାତ ପ୍ରେମିକକୁ ଖୋଜି ପାଇବା ସେମାନଙ୍କ ଲାଗି କଷ୍ଟକର ହେବ।

ସମ୍ବନ୍ଧିତ ଖବର