ପ୍ରେମିକା ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍ୟ ଯୁବକ ସହ କଥା ହେବାରୁ ରାଗରେ ଆସି ଜୀବନ ନେଲା ପ୍ରେମିକ

ଗୋଡ୍ଡା: ପ୍ରେମ ବେଳେ ବେଳେ ଅମଣିଷକୁ ମଣିଷ ସଜେଇ ଦିଏ ତ ପୁଣି ସେହି ପ୍ରେମ ମଣିଷକୁ ଅମଣିଷ ସଜେଇପାରେ। ପ୍ରେମରେ ସନ୍ଦେହ ଓ ଈର୍ଷା ଜାତ ହେଲେ ତାହା ଯେ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ।

ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ ଜଣେ ପ୍ରେମିକ ନିଜ ପ୍ରେମିକା ଉପରେ ରାଗିଯାଇ ତାର ଜୀବନ ନେଇ ଯାଇଥିବା  ଅଭିଯୋଗ ଆସିଛି। ପ୍ରେମିକ ଜଣକ ଯେତେବେଳେ ଜାଣିବାକୁ ପାଇଲା ଯେ ତାଙ୍କ ପ୍ରେମିକା ଇନ୍‌‌ଷ୍ଟାଗ୍ରାମ୍‌ରେ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଛି ତାର ରାଗ ଚରମ ହୋଇଗଲା। ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲା।

ତା’ପରେ ୧୭ ବର୍ଷୀୟ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ହୋଲି ଦିନଠାରୁ କିଶୋରୀ ପ୍ରେମିକା ଜଣକ ନିଖୋଜ ଥିଲେ ଓ ଦୁଇ ଦିନ ପରେ ତାର ମୃତଦେହ ଉଦ୍ଧାର କରାଯାଇଛି।

ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଉଭୟ ପୁଅ ଓ ଝିଅ ଉର୍ଜାନଗରର ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମିକ ସ୍କୁଲ୍‌ରେ ପାଠ ପଢ଼ନ୍ତି। ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ରହିଥିଲା। ଯେବେ କିଶୋର ପ୍ରେମିକ ଜଣକ ପ୍ରେମିକା ଆଉ କାହା ସହ କଥା ହେଉଛି ବୋଲି ଜାଣିବାକୁ ପାଇଲେ ତ ସେ ହୋଲି ଦିନ ସକାଳେ ଏକ ଲୁହା ଛଡ଼ରେ ତାଙ୍କ ମୁଣ୍ଡକୁ ବାଡ଼େଇ ଆକ୍ରମଣ କରିଥିଲା ଓ ପ୍ରେମିକାର ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତ ଏବେ ନିଜ ଦୋଷ ସ୍ବୀକାର କରିବା ପରେ ସେ ସାବାଳକ ହୋଇନଥିବାରୁ ତାଙ୍କୁ ସୁଧାର ଗୃହକୁ ପଠାଯାଇଛି। କିଶୋରୀକୁ ଅକ୍ରମଣ କରାଯାଇଥିବା ଲୁହା ଛଡ଼ ଓ ମୋବାଇଲ୍‌ ଫୋନ୍‌ ପୁଲିସ୍‌ ଜବତ କରିଛି।

ସମ୍ବନ୍ଧିତ ଖବର