ଲକ୍ଷ୍ନୌ: ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସବୁ ରାଜନୈତିକ ଦଳମାନେ ନିଜ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି କରିବାକୁ ଲୋକମାନଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇବାରେ ବ୍ୟସ୍ଥ । ଗୃହମନ୍ତ୍ରୀ କହୁଛନ୍ତି ଯୋଗୀ ସରକାର ସମୟରେ ଉତ୍ତରପ୍ରଦେଶ ଏତେ ବଦଳି ଯାଇଛି ଯେ ରାତି ୨ଟା ବେଳେ ବି ଜଣେ ମହିଳା ଗହଣା ପିନ୍ଧି ବିନା ଭୟରେ ରାଜରାସ୍ତାରେ ଯାଇ ପାରିବ । ପ୍ରିୟଙ୍କା ଗାନ୍ଧୀ ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଗକୁ ନେବାକୁ ‘ମେ ଲେଡକି ହୁଁ ଲଡ ଶକ୍ତା ହୁଁ’ ର ନାରା ଲଗାଉଛନ୍ତି । ଏସବୁ ଭିତରେ ଉତ୍ତରପ୍ରଦେଶର ମହିଳା କେତେ ସୁରକ୍ଷିତ ତାହା ହାଥରସ ଘଟଣା ପରେ ଜଣାପଡିଥିଲା । ହେଲେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ବା ଯେଉଁ ଘଟଣାକୁ ନେଇ ୧୭ ଜଣ ଛାତ୍ରୀଙ୍କ ଅବିଭାବକମାନେ ଥାନାରେ ଅଭିଯୋଗ କରିଛନ୍ତି ତାହା ଯଦି ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଗୃହମନ୍ତ୍ରୀ କହିଥିବା କଥା ଭୁଲ ପ୍ରମାଣ ହେବ ।
ଉତ୍ତରପ୍ରଦେଶ ମୁଜଫରନଗର ଜିଲ୍ଲାରେ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍କୁଲର ପ୍ରିନ୍ସପାଲ ଓ ତାଙ୍କର ସହଯୋଗୀମାନେ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସେମାନଙ୍କୁ ରାତିରେ ସ୍କୁଲରେ ରହିବାକୁ କହିଥିଲେ । ଏହାପରେ ପ୍ରିନ୍ସପାଲଙ୍କ ଆଦେଶରେ ସେମାନଙ୍କୁ ଖାଦ୍ୟରେ ନିଶାଦେଇ ରାତିସାରା ସେମାନଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ପୁଲିସ କହିବା ମୁତାବକ ଏହି ଘଟଣା ନଭେମ୍ବର ୧୮ ତାରିଖରେ ଘଟିଥିଲା । ଏବେ ଅବିଭାବକ ଓ ପୀଡିତାମାନଙ୍କର ଅଭିଯୋଗ ପରେ ଏତଲା ଦାଖଲ କରାଯାଇଛି । ଏହାସହ ଅଭିଯୁକ୍ତମାନଙ୍କୁ ଗିରଫ୍ କରିବାକୁ ଏକ ଟିମ ଗଠନ କରାଯାଇଥିବା କଥା ପୁଲିସ କହିଛି । ମୁଜାଫରନଗର ପୁଲିସ ପ୍ରମୁଖ ଅଭିଷେକ ଯାଦବ କହିଛନ୍ତି ଯେ, କାର୍ଯ୍ୟରେ ଅବହେଳା ଯୋଗୁଁ ଥାନା ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୨୮,୩୫୮,୫୦୬ ଓ ପୋକ୍ସୋ ଅଧିନିୟମରେ ମାମଲା ଦାଖଲ ହୋଇଛି ।
ଅଭିଯୋଗରେ କୁହାଯାଇଛି ଯେ, ପ୍ରିନ୍ସପାଲ ଯୋଗେଶ ଦଶମ ଶ୍ରେଣୀର ୧୭ ଜଣ ଛାତ୍ରୀଙ୍କୁ ପ୍ରାକ୍ଟିକାଲ ପରୀକ୍ଷା ବାହାନାରେ ସ୍କୁଲକୁ ଡକାଇଥିଲେ । ଏହାପରେ ସେଠାରେ ତାଙ୍କୁ ଏକ କପି ଲେଖିବାକୁ ଦେଇ ସ୍କୁଲରେ ରାତିରେ ରହିବାକୁ କହିଥିଲେ । ସେ କହିଥିଲେ ଆସନ୍ତାକାଲି ପାଖ ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ହେବ ତେଣୁ ତୁମେମାନେ ରାତିରେ ଏଠି ରହିଲେ କାଲି ସକାଳେ ସେହି ସ୍କୁଲକୁ ଯିବାକୁ ସୁବିଧା ହେବ । ଏହାପରେ ରାତିରେ ପ୍ରିନ୍ସପାଲ ଖେଚୁଡି ପ୍ରସ୍ତୁତ କରି ଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ । ଖେଚୁଡି ଖାଇବା ପରେ ଛାତ୍ରୀମାନେ ବେହୋସ ହୋଇପଡିଥିଲେ । ଏହାପରେ ପ୍ରିନ୍ସପାଲ ଓ ତାଙ୍କ ସହଯୋଗୀମାନେ ଛାତ୍ରୀମାନଙ୍କ ସହ ଦୁଷ୍କର୍ମ କରିଥିଲେ ।