ଲୁଟେରା ସହ ଲଢ଼ି ନିଯୁକ୍ତିଦାତାଙ୍କର ୮୦ ଲକ୍ଷ ଟଙ୍କା ଛଡ଼ାଇ ଆଣିଲେ କର୍ମଚାରୀ; ଉପହାରରେ ମିଳିଲା ଟି-ସାର୍ଟ; ରାଗରେ ୭୦ ଲକ୍ଷ ଟଙ୍କା ନେଇ ଫେରାର୍‌

ନୂଆଦିଲ୍ଲୀ: ନିଜ ନିଯୁକ୍ତିଦାତାଙ୍କ ୮୦ ଲକ୍ଷ ଟଙ୍କାର ବ୍ୟାଗ୍‌ ଚୋର ମୁହଁରୁ ଛଡ଼ାଇ ଆଣିବା ପାଇଁ ନିଜକୁ ରକ୍ତାକ୍ତ କରିବା ପରେ ବି ଉପହାରରେ ନିଯୁକ୍ତିଦାତା ଉପହାରରେ ମାତ୍ର ଗୋଟିଏ ଟି-ସାର୍ଟ ଦେବା ପରେ ଅସନ୍ତୁଷ୍ଟ କର୍ମଚାରୀ ଉକ୍ତ ଟଙ୍କାକୁ ଚୋରାଇବା ପାଇଁ ଯୋଜନା କରିଥିବା ଘଟଣା ଏବେ ଚର୍ଚ୍ଚା ପାଲଟିଛି। କାହାଣୀଟି ହେଉଛି କର୍ମଚାରୀ ଧନ ସିଂହ ବିଷ୍ଟ୍‍ଙ୍କର।

ଘଟଣାଟି ଏପରି, ଗତ କିଛି ମାସ ତଳେ ବିଷ୍ଟଙ୍କ ନିଯୁକ୍ତିଦାତା ୮୦ ଲକ୍ଷ ଟଙ୍କାର ବ୍ୟାଗ୍‌ ଧରି ଯାଉଥିବା ବେଳେ କିିଛି ଲୁଟେରା ତାଙ୍କୁ ଘେରି ଯାଇ ବ୍ୟାକ୍‌ଟିକୁ ଛଡ଼ାଇ ନେଇଥିଲେ। ସେ ସମୟରେ ବିଷ୍ଟ ନିଜ ଜୀବନକୁ ଖାତିର ନକରି ଲୁଟେରାମାନଙ୍କ ସହ ଲଢ଼ି ଟଙ୍କା ବ୍ୟାଗ୍‌କୁ ଛଡ଼ାଇ ଆଣିଥିଲେ। ସେ ଆଶା ରଖିଥିଲେ ଯେ ତାଙ୍କର ଏପରି ସାହସିକତା ପାଇଁ ନିଯୁକ୍ତିଦାତା ତାଙ୍କୁ ମୋଟା ପରିମାଣର ଟଙ୍କା ଉପହାର ଆକାରରେ ଦେବେ। ମାତ୍ର ନିଯୁକ୍ତିଦାତା ତାଙ୍କୁ ଦେଇଥିଲେ ମାତ୍ର ଏକ ଟି-ସାର୍ଟ।

ଟି-ସାର୍ଟ ପାଇବା ପରେ କ୍ଷୁବ୍ଧ ବିଷ୍ଟ ନିଜ ବନ୍ଧୁ ୟାକୁବଙ୍କ ସହ ମିଶି ନିଯୁକ୍ତିଦାତାଙ୍କ ଟଙ୍କା ନେଇ ଫେରାର୍‌ ହେବାର ଯୋଜନା କଲେ। ଅଗଷ୍ଟ ୨୮ ତାରିଖରେ ଗ୍ରାହକମାନଙ୍କ ନିକଟରୁ ଟଙ୍କା ସଂଗ୍ରହ କରି ଆଣିବା ପାଇଁ ନିଯୁକ୍ତିଦାତା ବିଷ୍ଟଙ୍କୁ କହିଥିଲେ। ସେ ଟଙ୍କା ସଂଗ୍ରହ କରିବା ପରେ ୟାକୁବଙ୍କୁ ଯୋଗାଯୋଗ କରିଥିଲେ। ସେ ୟାକୁବଙ୍କ ଦୋକାନରେ ନିଜ ମଟରସାଇକେଲ ରଖି ଏକ ମାରୁତି ଡିଜାୟାର୍‌ରେ ନୈନିତାଲ୍‌ ପଳାଇଥିଲେ।

ବିଷ୍ଟଙ୍କୁ ନୈନିତାଲ୍‌ରେ ଛାଡ଼ିବା ପରେ ୟାକୁବ୍‌ ୪ ଲକ୍ଷ ଟଙ୍କା ଧରି ଦିଲ୍ଲୀ ଫେରିଥିଲେ। ମୋଟର ସାଇକେଲର ପାର୍ଟ ପରିବର୍ତ୍ତନ କରି ୟାକୁବ ତାହାକୁ ପରେ ବିକ୍ରି କରି ଦେଇଥିଲେ। ସେ ପରବର୍ତ୍ତୀ ସମୟରେ ପୁଣି ନୈନିତାଲ୍‌ ଯିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଲେ।

ଏହି ମାମଲାର ତଦନ୍ତ ଦିଲ୍ଲୀ ପୁଲିସ୍‌ର ଅପରାଧୀକ ଶାଖା କରୁଛି। ୟାକୁବ୍‌ ବିଷ୍ଟ କରିଥିବା ଚୋରିର ପ୍ରମାଣ ନଷ୍ଟ କରିବା ପାଇଁ ଗାଡ଼ି ବିକ୍ରି କରୁଥିବା ବେଳେ ଦିଲ୍ଲୀ ପୁଲିସ୍‌ ଧରିବାରେ ସମର୍ଥ ହୋଇଥିଲା। ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଷ୍ଟ୍‍ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ପୂର୍ବରୁ ସେ ତାଙ୍କ ନିଯୁକ୍ତିଦାତାଙ୍କ ନିକଟରେ ଋଣ ପାଇଁ ଆବେଦନ କରିଥିଲେ। ମାତ୍ର ନିଯୁକ୍ତିଦାତା ମନା କରି ଦେଇଥିଲେ।

ବିଷ୍ଟଙ୍କର ୩ ଝିଅ ମୁଣ୍ଡ ଉପରେ ଥିଲେ। ଏପଟେ ପୂର୍ବରୁ ନିଯୁକ୍ତିଦାତାଙ୍କ ଟଙ୍କା ପାଇଁ ଚୋରମାନଙ୍କ ସହ ଲଢ଼ି ସେ ଏକ ରକମର ଅସୁସ୍ଥ ହୋଇପଡ଼ିଥିଲେ। ଥରେ ବନ୍ଧୁ ୟାକୁବଙ୍କ ସହ ମିଶି ମଦ୍ୟପାନ କରିବା ସମୟରେ ନିଜର ଦୁଃଖ କହିବା ସହ ଚୋରି କରିବାର ଯୋଜନା କରିଥିଲେ। ଏପଟେ ୟାକୁବ୍‌ ପ୍ରଥମେ ମନା କରିଥିଲେ ବି ଶେଷରେ ୪ ଲକ୍ଷ ନେଇଥିବା ସ୍ୱୀକାର କରିଥିଲେ। ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୩ ଲକ୍ଷ ଟଙ୍କା ଜମା ହୋଇଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର