ନୂଆଦିଲ୍ଲୀ: ବେଙ୍ଗାଲୁରୁର ସିଇଓ ସୂଚନା ସେଠ(ବେଙ୍ଗାଲୁରୁର ସିଇଓ) ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ‌ରେ ପୁଲିସ ହେପାଜତରେ ଅଛନ୍ତି। ଏହି ହତ୍ୟା  ଘଟଣାରେ ପୁଲିସ ତତ୍ପରତା ସହ ତଦନ୍ତ କରୁଛି।

Advertisment

ଗତକାଲି ସୂଚନା ସେଠଙ୍କ ସ୍ବାମୀ ନିଜର ବୟାନ ରେକର୍ଡ ପାଇଁ ଥାନାକୁ ଯାଇଥି‌ଲେ। ଏହି ସମୟ‌ରେ ପୁଲିସ ସୂଚନାଙ୍କୁ ସ୍ବାମୀ ଭେଙ୍କଟ ରମଣଙ୍କ ସାମ୍ନାସାମ୍ନୀ କରାଇଥିଲା।

ଦୁହିଁଙ୍କୁ ସାମ୍ନାସାମ୍ନୀ ବସାଇ ପଚରାଉଚରା କରାଯାଇଥିଲା। ମୃତକଙ୍କ ବାପା ଭେଙ୍କଟ ରମଣ ପୁଲିସ ସାମ୍ନାରେ ନିଜର ବିସ୍ତୃତ ବୟାନ ରେକର୍ଡ କରାଇଥିଲେ। ସୂଚନା ସହିତ ଭେଙ୍କଟ ତାଙ୍କ ସମ୍ପର୍କ, ଛାଡ଼ପତ୍ର ଓ ପୁଅ ବିଷୟରେ ଆଲୋଚନା କରିଥିଲେ। ଯିଏକି ଏହି ଘଟଣା ସମୟରେ ଇଣ୍ଡୋନେସିଆରେ ଥିଲେ।

ଗୋଆ ପୁଲିସକୁ ଭେଙ୍କଟ ରମଣ କହିଥିଲେ,‘ ଜାନୁଆରି ୬ ତାରିଖରେ ସୂଚନା ସେଟ ମୋତେ ମେସେଜ କରିଥିଲା। ସେ ମୋତେ ଜାନୁଆରି ୭ ତାରିଖରେ ପୁଅ ସହିତ ଭେଟ କରାଇବାକୁ ଡାକିଥିଲା।  ମୁଁ ମୋ ପୁଅ ସହିତ ଭେଟ କରିବାକୁ ପହଞ୍ଚିବି ଥିଲି। କିନ୍ତୁ ସୂଚନା ପୁଅକୁ ନେଇ ଆସି ନଥିଲା। ଏହାପରେ ମୋ ଓକିଲଙ୍କ କହିବାନୁସାରେ ମୁଁ ସୂଚନାକୁ ମେସେଜ କରିଥିଲି, ସେ ଏହାର କୌଣସି ଉତ୍ତର ନଦେବାରୁ ଇମେଲ ବି କରିଥିଲି। କାରଣ କୋର୍ଟଙ୍କୁ ଏହାର ପ୍ରାମଣ ଦେଖାଇ ପାରିବି।

ସୂଚନା ୪ଟି ରବିବାର ହେବ ମୋତେ ପୁଅ ସହିତ ଭେଟ କରାଇବାକୁ ଦେଇ ନଥିଲା। ୫ମ ରବିବାର ପୁଅ ସହିତ ଭେଟ ହେବା ପୂର୍ବରୁ ହିଁ ତାକୁ ମାରି ଦେଇଥିଲା।’

ପୁଲିସ ସୂତ୍ରରୁ ପ୍ରକାଶ ପୁଅ ହତ୍ୟା ଖବର ପାଇବା ପରେ ଭେଙ୍କଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ସେ ପୁଲିସର ଯାଞ୍ଚରେ ସହଯୋଗ କରୁଛନ୍ତି। ପୁଲିସ ସାମ୍ନାରେ ଯେତେବେଳେ ଭେଙ୍କଟ ସୂଚନାଙ୍କୁ ଦେଖିଥିଲେ ତାଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ, ‘ତୁ ମୋ ପୁଅ ସହ ଏ କ’ଣ କଲୁ ରେ….।’

ଏହାର ଉତ୍ତରରେ ସୂଚନା କହିଥିଲେ, ‘କ’ଣ କରିଛି କିଛି କରିନି।’