ଛେଳି ଚୋରଙ୍କୁ ଗଛରେ ବାନ୍ଧିଲେ

ବାଲିପାଟଣା: ବାଲିପାଟଣା ଅଞ୍ଚଳରେ ଛେଳି ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି କିଛି ଯୁବକ ୩ ଛେଳି ଚୋରଙ୍କୁ କାବୁ କରି ଗଛରେ ବାନ୍ଧି ପକାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରୁ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପୁଲିସ ସେମାନଙ୍କଠାରୁ ୨ଟି ଛେଳି ଉଦ୍ଧାର କରିବା ସହିତ ଏକ ଅଟୋ(ଓଡି-୩୩-ଏଲ-୭୩୩୦)କୁ ମଧ୍ୟ ଜବତ କରିଛି। ଅଟକ ଯୁବକମାନେ ହେଲେ ସହିଦଗର ଥାନା ଅଞ୍ଚଳର କ୍ଷେତ୍ରବାସୀ ବେହେରା, ଲକ୍ଷ୍ମୀସାଗର ଥାନା ଅଞ୍ଚଳର ସୁଜିତ ଜେନା ଓ ସତ୍ୟବାଦୀ ଥାନା ଅଞ୍ଚଳର ଗୌତମ ସ୍ୱାଇଁ। ପୁଲିସ ସୂଚନା ଅନୁଯାୟୀ ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ସେମାନେ ଏକ ଯାତ୍ରୀବାହୀ ଅଟୋରେ ନିମାପଡ଼ା ପଟୁ ଆସି ମହାବୀର ବଜାର ନିକଟରେ ଚରୁଥିବା ସୁକାନ୍ତ ଭୋଇଙ୍କ ୨ଟି ଧଳା ଛେଳିକୁ ଉଠାଇ ନେଇ ଭୁବନେଶ୍ୱର ଆଡ଼କୁ ପଳାଉଥିଲେ। ଘଟଣାଟି ସ୍ଥାନୀୟ ଲୋକଙ୍କ ନଜରରେ ପଡ଼ିଯାଇଥିଲା। ଦୁଇଜଣ ଯୁବକ ବାଇକ୍‌ରେ ସେମାନଙ୍କୁ ପିଛା କରି ତୁରନ୍ତିରା ଗାଁ ମୁଣ୍ଡରେ ଅଟକାଇଥିଲେ। ଖବର ପାଇ ସେଠାରେ ଆଖପାଖ ଅଞ୍ଚଳର ଲୋକ ଜମା ହୋଇଯାଇଥିଲେ। ସମସ୍ତଙ୍କୁ ଗୋଟିଏ ଗଛରେ ବାନ୍ଧି ପୁଲିସକୁ ଖବର ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, କିଛିମାସ ତଳେ ଦେଉଳିଧରପୁର ଅଞ୍ଚଳରେ ବାଇକ୍‌ରେ ଆସି ଛେଳି ଚୋରି କରୁଥିବା ଚୋରଙ୍କୁ ସ୍ଥାନୀୟ ଲୋକ କାବୁ କରି ପୁଲିସ୍‌ ଜିମା ଦେଇଥିଲେ। ସେହିପରି ମାର୍ଚ୍ଚ ୬ତାରିଖରେ ସ୍ଥାନୀୟ ଗିରିଙ୍ଗ ଗ୍ରାମରୁ କରିମ୍‌ ବକ୍ସ(ମାନିଆ)ଙ୍କ ୩ଟି ଛେଳି ଚୋରି ହୋଇଥିଲା। ସେମାନେ ଏକ କାର୍‌ରେ ଛୋଳିଗୁଡ଼ିକୁ ନେଇ ଯାଉଥିବା ବେଳେ ଜଣେ ଯୁବକ ସେମାନଙ୍କ ପିଛା କରି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରୁ ବାରମ୍ବାର ଛେଳି ଚୋରି ହେଉଥିବାରୁ ବାଲିପାଟଣାରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର