ସୁନାଗହଣା, ଟଙ୍କା ଚୋରି, ଘରେ କାମ କରୁଥିବା ମହିଳା ଗିରଫ

ଭୁବନେଶ୍ୱର: ହଂସପାଳରେ ଥିବା ଏକ ଆପାର୍ଟମେଣ୍ଟରୁ ସୁନାଗହଣା ଓ ଟଙ୍କା ଚୋରି କରିବା ଅଭିଯୋଗରେ ଉକ୍ତ ଘରେ କାମ କରୁଥିବା ମହିଳାକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେ ହେଲେ, ବ୍ରହ୍ମପୁର ବଡ଼ବଜାର ଅଲଣାବନ୍ଧ ସାହିର ରେଖା ମହାପାତ୍ର। ତା’ଠାରୁ ୨୦ ହଜାର ଟଙ୍କା ଜବତ ହୋଇଛି। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୁନାଗହଣା ଓ ଚୋରି ହୋଇଥିବା ବାକି ଟଙ୍କା ପାଇଁ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଛି। ଅଭିଯୋଗ ମୁତାବକ, ରଶ୍ମିରଞ୍ଜନ ରାଉତ ହଂସପାଳରେ ଥିବା ଶକ୍ତି ପାରାଡାଇଜ୍‌ ଆପାର୍ଟମେଣ୍ଟରେ ସପରିବାର ରହୁଛନ୍ତି। ତାଙ୍କ ଘରେ ରେଖା କାମ କରୁଥିଲା। ଅନେକ ସମୟରେ ରେଖା ଘରେ ଏକୁଟିଆ ରୁହେ। ‌ଗତ ୨୪ ତାରିଖରେ ଘରୁ ୬୫ହଜାର ଟଙ୍କା ଗାଏବ ହୋଇଯାଇଥିଲା। କିଛି ସମୟ ଖୋଜାଖୋଜି କରିବା ପରେ ଏକ ସୁନା ଚେନ୍‌ ମଧ୍ୟ ନଥିବା ଜଣାପଡ଼ିଥିଲା। ରେଖାକୁ ପଚରାଉଚରା କରାଯାଇଥିଲେ ମଧ୍ୟ ସେ ମାନି ନଥିଲା। ଏନେଇ ସେହିଦିନ ଥାନାରେ ଅଭିଯୋଗ ହେବା ପରେ ରେଖା ସୁଯୋଗ ଦେଖି ଫେରାର୍‌ ହୋଇଯାଇଥିଲେ। ଏଣୁ ତା’ ଉପରେ ସନ୍ଦେହ ବଢ଼ିଥିଲା। ପୁଲିସ ସନ୍ଦେହରେ ରେଖାକୁ ଧରିଥିଲା।

ସମ୍ବନ୍ଧିତ ଖବର