ପାଟଣାଗଡ଼: ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ବଡ଼ଧରଣର ଲୁଟ୍ ହୋଇଛି। କର୍ମଚାରୀମାନେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଲୁଟେରାମାନେ ସୁନା ଦେକାନର ମାଲିକଙ୍କୁ ନିସ୍ତୁକ ମାଡ଼ ମାରି ଦେଢ଼ କିଲୋ ସୁନା ଓ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଲୁଟ୍ ଓ ମାଡ଼ର ଶିକାର ହୋଇଛନ୍ତି ସୁନା ଦୋକାନର ମାଲିକ ମୁକେଶ ଜୈନ। ଡକାୟତି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୭୦ ଲକ୍ଷଟଙ୍କା ହେବ ବୋଲି ସୂଚନା ରହିଛି।
ସୁନା ଦୋକାନ ‘ଅମୃତ କଳସ’ର ମାଲିକ ମୁକେଶ ଜୈନଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୫ଟାରେ ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ୩ଟି ବାଇକ୍ରେ ତାଙ୍କ ଦୋକାନକୁ ଆସିଥିଲେ। ଏହା ପରେ ସେମାନେ ଦୋକାନ ଭିତରକୁ ପ୍ରବେଶ କରିଥିଲେ। ସେହି ସମୟରେ ଦୋକାନର କର୍ମଚାରୀମାନେ ନଥିଲେ। କର୍ମଚାରୀମାନେ ମଧ୍ୟାହ୍ନ ସମୟରେ ଖାଇବାକୁ ଯାଇ ଫେରି ନ ଥିଲେ। ତେବେ କର୍ମଚାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା ଦେକାନ ଭିତକରୁ ପଶିଥିଲେ।
ଲୁଟ୍ କରିବା ପୂର୍ବରୁ ଦୁର୍ବୃତ୍ତମାନେ ନିଶ୍ଚିତ ଭାବେ ବିସ୍ତୃତ ଯୋଜନା କରିଥାଇପାରନ୍ତି। ସେଥି ପାଇଁ ସେମାନେ ସୁନା ଦୋକାନର ମାଲିକ ଏକାକୀ ଥିବା ସମୟରେ ପ୍ରବେଶ କରିଛନ୍ତି। ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭିର ହାର୍ଡଡିକ୍ସ ନେଇଯାଇଛନ୍ତି।
ଦୁର୍ବୃତ୍ତମାନେ ପ୍ରଥମେ ଦୋକାନର ମାଲିକ ଶ୍ରୀ ଜୈନଙ୍କ ମୁଣ୍ଡରେ ବନ୍ଧୁକ ରଖି ଥିଲେ। ଏହା ପରେ ପ୍ରାୟ ଦେଢ଼ କିଲୋ ସୁନା, କିଛି ରୁପା ଓ ଡ୍ର’ରେ ଥିବା ପ୍ରାୟ ୬୦ ହଜାର ଟଙ୍କା ନେଇ କି ପଳାୟନ କରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ମାଲିକ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ମାଲିକଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ନିସ୍ତୁକ ମାଡ଼ ମାରିଥିଲେ। ଶେଷରେ ଦୁର୍ବୃତ୍ତମାନେ ପାଟଣାଗଡ଼ର ବରହମପୁରା ଓ ଗଡ଼ଭିତର ରାସ୍ତାରେ ଫେରାର ହୋଇଯାଇଥିଲେ। ଲୁଟ୍ ସଂପର୍କିତ ସୂଚନା ମିଳିବା ପରେ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି।