ସୁନା ଚେନ୍‌ ଜବତ, ୨ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ପାଟ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲୁଟେରା ଓ ବଣିଆକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୨ଗ୍ରାମ ଓଜନର ଏକ ସୁନା ଚେନ୍‌ ଜବତ କରିଛି। ସେମାନେ ହେଲେ ଭଦ୍ରକ ତିହିଡ଼ି ଅଞ୍ଚଳର ସତ୍ୟଜିତ ନାୟକ(୨୫) ଓ ବଣିଆ ଅଶୋକନଗର ଅଞ୍ଚଳର ହାଡ଼ିବନ୍ଧୁ ସାହୁ(୪୧)। ତେବେ ସତ୍ୟଜିତ ଏଠାରେ ୟୁନିଟ୍‌-୯ ରୋଡ୍‌ ନଂ-୩ ଅଞ୍ଚଳରେ ରୁହେ। ପୁଲିସ ସୂଚନା ମୁତାବକ, ଗତ ୧୮ ତାରିଖ ରାତିରେ ପ୍ରଫୁଲ୍ଲ ଶତପଥୀ ନାମକ ଜଣେ ଯୁବକ ରାମ ମନ୍ଦିରରୁ ବଡ଼ଗଡ଼ ସ୍ଥିତ ଘରକୁ ଫେରୁଥିଲେ। ସେ କେଭି-୧ ସମ୍ମୁଖରେ ଯାଉଥିବା ସମୟରେ ସତ୍ୟଜିତ ତାଙ୍କୁ ମାଡ଼ମାରି ସୁନାହାର ଝାମ୍ପି ନେଇଥିଲେ। ଗୁରୁବାର ରାତିରେ ପୁଲିସ ସତ୍ୟଜିତ ଘରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ସତ୍ୟଜିତ ଚେନ୍‌କୁ ଅଶୋକନଗର ସ୍ଥିତ ଜଣେ ବଣିଆଙ୍କୁ ବିକ୍ରି କରିଥିବା ପୁଲିସକୁ କହିବା ପରେ ପୁଲିସ ହାଡ଼ିବନ୍ଧୁକୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର