ଲୁଟେରାଙ୍କ କବ୍‌ଜାରେ ଏନ୍‌ଏଚ୍‌ : ମହିଳାଙ୍କ ମୋବାଇଲ୍‌ ଝାମ୍ପିନେଲେ

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥରେ ମାତିଛନ୍ତି ଲୁଟେରା। ମଙ୍ଗଳବାର ଅପରାହ୍ଣରେ ତମାଣ୍ଡୋ ଛକରେ ଜଣେ ଯୁବତୀଙ୍କୁ ଲୁଟ୍‌ କରିଥିବାବେଳେ ଆଜି ସନ୍ଧ୍ୟାରେ ପୁଣି ସେହି ଛକରେ ଜଣେ ମହିଳା ହାଇୱେ ଲୁଟେରାଙ୍କୁ ଶିକାର ହୋଇଛନ୍ତି। ଡୁମୁଡୁମା କସ୍‌ମୋପଲି ଅଞ୍ଚଳର ଏହି ମହିଳା ହେଲେ ସୁନିତା ବସନ୍ତରା(୩୦)। ଦୁର୍ବୃତ୍ତମାନେ ତାଙ୍କ ‌ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ତମାଣ୍ଡୋ ଥାନା ପୁଲିସ ଅଭିଯୋଗ ପାଇବା ପରେ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଛାନ୍‌ଭିନ୍ ଆରମ୍ଭ କରିଛି। ସୂଚନାନୁସାରେ ସୁନିତା ତାଙ୍କ ସ୍ବାମୀଙ୍କ ସହ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଁଳା ଯାଉଥିଲେ। ସେମାନେ ପାତ୍ରପଡ଼ାସ୍ଥିତ ଏକ ଡ୍ରେସ୍‌ ସୋରୁମ୍‌ ନିକଟରେ କିଛି ସମୟ ପାଇଁ ଅଟକିଥିଲେ। ରାତି ପ୍ରାୟ ୮ଟା‌ରେ ସେମାନେ ବାଇକ୍‌ ଯୋଗେ ଯାଁଳା ବାହାରିଥିଲେ। ସୋରୁମ୍‌ ପାଖରୁ ସେମାନଙ୍କୁ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ପିଛା କରିଥିଲେ। ସେମାନେ ତମାଣ୍ଡୋ ଓଭରବ୍ରିଜ୍ ନିକଟରେ ପହଞ୍ଚିଥିବାବେଳେ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ସୁନିତାଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଥିଲା। ତୁରନ୍ତ ସୁନିତାଙ୍କ ସ୍ବାମୀ ତମାଣ୍ଡୋ ଥାନାକୁ ଫୋନ୍ କରି ଜଣାଇଥିଲେ। ପିସିଆର୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇ ସାରିଥିଲେ।

ଗ୍ରାହକ ସାଜି ସୁନା କଏନ୍‌ ଚୋରି
ଚନ୍ଦ୍ରଶେଖରପୁର : ଗ୍ରାହକ ସାଜି ଆସିଲେ। ରୁପା ତାବିଜ ଖୋଜିଲେ। ଦୋକାନୀ ତାବିଜ ଦେଖାଉଥିବା ବେଳେ କୌଶଳ କରି ଟଙ୍କା ବାକ୍ସରୁ ସୁନା ଚେନ୍‌ ଲୁଟି ନେଲେ। ଚୋରି ସୁନା କଏନ୍‌ର ମୂଲ୍ୟ ୮୦ ହଜାର ଟଙ୍କା ବୋଲି ଦୋକାନୀ କହିଛନ୍ତି। ଚୋରିର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ରାସ୍ତା ଡମଣା ଛକରେ ଥିବା ସନ୍ତୋଷ କୁମାର ପୃଷ୍ଟିଙ୍କ ଗହଣା ଦୋକାନରେ। ଏ ନେଇ ସନ୍ତୋଷ ଥାନାରେ ଅଭିଯୋଗ କରିଛନ୍ତି। ସନ୍ତୋଷଙ୍କ ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଦୋକାନରେ ପହଞ୍ଚି ରୁପା ତାବିଜ ଖୋଜିଥିଲେ। ସନ୍ତୋଷ ସେମାନଙ୍କୁ ବିଭିନ୍ନ ପ୍ରକାର ତାବିଜ ଦେଖାଉଥିବା ବେଳେ ଜଣେ ଯୁବକ ଟଙ୍କା ବାକ୍ସରେ ଥିବା ସୁନା କଏନ୍‌କୁ ନେଇଯାଇଥିଲା। ସେମାନେ ପଳାଇବା ପରେ ସନ୍ତୋଷ ସୁନା କଏନ୍ ପାଇ ନଥିଲେ। ସିସିଟିଭି ଯାଞ୍ଚ କରିବାରୁ ଯୁବକ ଦ୍ବୟ ଚୋରି କରିଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର