ଚତୁର ଚୋର, ଟ୍ରେନ୍‌ରେ ସୁନା ବ୍ୟବସାୟୀ ଶୋଇଥିବା ବେଳେ ବ୍ୟାଗ୍‌ ତଳ କାଟି ଲୁଟିନେଲେ ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର

ନୂଆଦିଲ୍ଲୀ: ପଞ୍ଜାବ ମେଲରୁ ଏକ ବଡ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରୁ ଫିରୋଜପୁର ଯାଉଥିବା ପଞ୍ଜାବ ମେଲରୁ ଲୁଟେରାମାନେ ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଛନ୍ତି । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟେରାମାନେ ଟ୍ରେନର ଏସି କୋଚ୍‌ ବି ୨ରୁ ଏକ ବ୍ୟାଗ ତଳ କାଟି ସେଥିରେ ରଖାଯାଇଥିବା ୧ କୋଟି ୩୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଯାଇଛନ୍ତି । ଏହି ଅଳଙ୍କାର ସରାଫା ବ୍ୟବସାୟୀଙ୍କର ଅଟେ, ଯିଏ ମୁମ୍ବାଇରୁ ବେତୁଲ ଯାଉଥିଲେ। ଚୋରି ହୋଇଥିବା ସୁନା ଅଳଙ୍କାରର ଓଜନ ୪ କିଲୋ ୫୦୦ ଗ୍ରାମ ଥିବା ଜଣାପଡିଛି ।

ଜିଆରପି ନିରୀକ୍ଷକ ବିଏସ୍‌ ଚୌହାନଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସାୟୀ ଜଣଙ୍କ ବିଭିନ୍ନ ସୁନା ଦୋକାନୀଙ୍କ ଅର୍ଡର ଅନୁଯାୟୀ ଏହି ଅଳଙ୍କାରଗୁଡିକୁ ନେଇ ଯାଉଥିଲେ । ଇଟାରସୀରେ ଓହ୍ଲାଇବା ପରେ, ଯେତେବେଳେ ସେ ବ୍ୟାଗ ଉଠାଇଥିଲେ, ବ୍ୟାଗଟି ଅତ୍ୟନ୍ତ ହାଲୁକା ଲାଗିଥିଲା। ବ୍ୟାଗଟି ଓଲଟାଇ ଦେଖିବା ପରେ, ସେଥିରେ କଟା ହୋଇଥିବାର ବ୍ୟବସାୟୀ ଜଣଙ୍କ ଜାଣିବାକୁ ପାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଚୋରମାନେ ଅତ୍ୟନ୍ତ ଚତୁରତାର ସହ କେବଳ ସୁନା ପ୍ୟାକେଟ୍‌ଗୁଡିକୁ ହିଁ ଲୁଟି ନେଇଛନ୍ତି । ଚୋରି ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର