ନୂଆଦିଲ୍ଲୀ: ଅମୃତସର ସିଭିଲ ଲାଇନ ଥାନା ଅଞ୍ଚଳରେ ଥିବା ଶାସ୍ତ୍ରୀ ନଗରରେ ବସବାସ କରୁଥିବା ଜଣେ ଡାକ୍ତରଙ୍କୁ ରୋଗୀ ବେଶରେ ଆସିଥିବା ୪ ଜଣ ଡକାୟତ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗତ ବୁଧବାର ବିଳମ୍ବିତ ରାତିରେ ଡାକ୍ତର ତାଙ୍କ ପରିବାର ସହିତ ଘରେ ବିଶ୍ରାମ ନେଉଥିବା ବେଳେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ବିଧାୟକ ସୁନୀଲ ଦତ୍ତ କହିଛନ୍ତି ଯେ ବୁଧବାର ରାତିରେ ଡାକ୍ତର ଶିବାଙ୍ଗୀ ଆରୋଡା ତାଙ୍କ ଶାଶୁ, ପିଲା ଏବଂ ଆଟେଣ୍ଡାଣ୍ଟଙ୍କ ସହିତ ଥିଲେ। ଏହି ସମୟରେ ଦୁଇଟି ଆକ୍ଟିଭାରେ ଚାରିଜଣ ଯୁବକ ଆସି ଡାକ୍ତରଙ୍କ କବାଟ ବାଡେଇଥିଲେ। କବାଟ ଖୋଲିବା ପରେ ୪ଜଣ ଡକାୟତଙ୍କ ମଧ୍ୟରୁ ଜଣେ କହିଥିଲେ ତାଙ୍କ ଦାନ୍ତ ପ୍ରବଳ ଯନ୍ତ୍ରଣା ହେଉଛି ସେ ଡାକ୍ତରଙ୍କୁ ଦେଖାଇ ଔଷଧ ନେବାକୁ ଆସିଛନ୍ତି।
/sambad/media/post_attachments/4b005cb423082a2a1105fc829fbdb01f5d3014a045ee6e6005daaab329a0d4ff.jpg)
ଏହାପରେ ଆଟେଣ୍ଡାଣ୍ଟ ଜଣକ ଚାରିଜଣ ଡକାୟତଙ୍କୁ ଘରକୁ ଡାକି ବସିବାକୁ କହିଥିଲେ। ଡାକ୍ତର ଆସି ଦାନ୍ତ ଚିକିତ୍ସା କରୁଥିବା ବେଳେ ୪ଜଣ ଡକାୟତ ବନ୍ଧୁକ ବାହାର କରି ଗୋଟିଏ କୋଠରୀରେ ପୂରା ପରିବାରକୁ ବନ୍ଧକ ରଖି ଦେଇଥିଲେ। ଏହାପରେ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ ।
ସ୍ଥାନୀୟ ପୁଲିସ କମିସନର ସୁଖଚେନ ସିଂ ଗିଲ କହିଛନ୍ତି ଯେ କୁକୁର ସ୍କ୍ବାର୍ଡ ଓ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞଙ୍କୁ ଘଟଣାସ୍ଥଳରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି। କିଛି ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି, କିନ୍ତୁ ସେମାନଙ୍କ ବିଷୟରେ ସୂଚନା ଦିଆଯାଇ ପାରିବନାହିଁ । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Patient-Looted-Money-From-Doctor_Thumbnail.jpg)