ସିସିଟିଭିରେ ଯୁବତୀଙ୍କ ସୁନା ଲୁଟ୍‌ କାରନାମା

ଭୁବନେଶ୍ୱର: ସିସିଟିଭିରେ ଧରା ପଡ଼ିଯାଇଛି ସୁନ୍ଦରୀ ଯୁବତୀଙ୍କ କଳା କାରନାମା। ଏପରି ଫୁଟେଜ୍‌ ଦେଖିବା ପରେ ଖୋଦ୍‌ ଦୋକାନୀଙ୍କ ହୋସ୍‌ ଉଡ଼ି ଯାଇଛି। ସୁନ୍ଦର ବେଶ ପୋଷାକ ଓ ମାର୍ଜିତ କଥାବାର୍ତା କରୁଥିବା ଯୁବତୀ ଯେ ଲୁଟ୍‌ ଉଦ୍ଦେଶ୍ୟରେ ଆସିଥିଲେ, ସେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ଘଟଣା ଘଟିଛି ରାଜମହଲ ଛକ ନିକଟରେ ଥିବା ଶୁଭଲକ୍ଷ୍ମୀ ଜୁଏଲର୍ସରେ। ଦୋକାନୀଙ୍କ କହିବା ଅନୁଯାୟୀ, ୨୯ ତାରିଖରେ ଜିନ୍‌ ପ୍ୟାଣ୍ଟ୍‌, ଟି ସାର୍ଟ ଓ ମୁଣ୍ଡରେ ଟୋପି ପିନ୍ଧିଥିବା ଜଣେ ସୁନ୍ଦରୀ ଯୁବତୀ ସୁନା କିଣିବା ପାଇଁ ଦୋକାନକୁ ଆସିଥିଲେ। ଦୋକାନୀଙ୍କୁ କାନଫୁଲ ମାଗିବା ସହ ସାଙ୍ଗରେ ଆଣିଥିବା କିଛି ଗହଣା ଦେଖିବାକୁ କହିଥିଲେ। ଦୋକାନୀ ସୁନା ପରଖିବା ପାଇଁ ଭିତରକୁ ଯାଇଥିବା ବେଳେ ଯୁବତୀଜଣଙ୍କ ଦୋକାନରେ ଥିବା ହଳେ କାନଫୁଲ ନେଇ ଟୋପିରେ ଗୁଞ୍ଜି ଦେଇଥିଲେ। ଦୋକାନୀ ନେଇଥିବା ସୁନାଗହଣା ନକଲି କହି ଯୁବତୀଙ୍କୁ ଫେରାଇ ଦେଇଥିଲେ। ପରେ ଯୁବତୀଜଣଙ୍କ ସେଠାରୁ ଚାଲି ଯାଇଥିଲେ। ପରଦିନ ସେହି ଯୁବତୀ ମୁଦି କିଣିବା ପାଇଁ ସେହି ଦୋକାନକୁ ଆସିଥିଲେ। ସେଦିନ ମଧ୍ୟ ଆଉ ଏକ ଗହଣା ଚୋରି କରି ଚମ୍ପଟ ମାରିଥିଲେ। ବିକ୍ରି ହିସାବରେ ତାଳମେଳ ନ ରହିବାରୁ କିଛି ସୁନା ନଥିବା ଦୋକାନୀ ଜାଣିବାକୁ ପାଇଥିଲେ। ପରେ ସିସିଟିଭି ଯାଞ୍ଚ କରିବାରୁ ଯୁବତୀଙ୍କ କାରନାମା ବିଷୟରେ ଜାଣିବାକୁ ପାଇଥିଲେ।

ସମ୍ବନ୍ଧିତ ଖବର