ସୁନା ସଫା କରିବା ଆଳରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା

ଚନ୍ଦ୍ରଶେଖରପୁର : ଘର ଘର ବୁଲି ସୁନା ସଫା କରୁଥିବା ଦୁଇ ଜଣ ଯୁବକ ଆଜି ସଫେଇ ଆଳରେ ଜଣେ ମହିଳାଙ୍କଠାରୁ ଲକ୍ଷାଧିକ ଟଙ୍କାର ଗହଣା ନେଇ ଚମ୍ପଟ ମାରିଛନ୍ତି। ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବାପରେ ପୁଲିସ୍‌ ଲୁଟେରାଙ୍କୁ ଧରିବା ପାଇଁ କୌଶଳ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ପତ୍ତା ପାଇନଥିଲା। ସୂଚନା ଅନୁଯାୟୀ ଆଜି ମଧ୍ୟାହଣ୍‌ରେ ପଟିଆ ନୀଳକଣ୍ଠେଶ୍ୱର ମନ୍ଦିର ପଛପାଖରେ ରହୁଥିବା ରାଧାରାଣୀ ନାୟକ ନାମ୍ନୀ ଜଣେ ମହିଳା ଦୁଇ ଜଣ ସୁନା ସଫା କରୁଥିବା ଯୁବକଙ୍କୁ ନିଜ ଘରକୁ ଡାକି ଗୋଟିଏ ସୁନା ଚେନ୍‌ ଓ ୩ଟି ମୁଦି ସଫା କରିବା ପାଇଁ ଦେଇଥିଲେ। କିଛି ସମୟ ପରେ ଯୁବକମାନେ ରାଧାରାଣୀଙ୍କୁ କିଛି ଗରମ ପାଣି ଆଣିବା ପାଇଁ କହିବାରୁ ସେ ରୋଷେଇ ଘର ଭିତରକୁ ଯାଇ ପାଣି ଗରମ କରୁଥିବା ବେଳେ ଦୁଇ ଲୁଟେରା ଘର ବାହାରୁ କବାଟ ଦେଇ ନିଜ ବାଇକ୍‌ରେ ଛୁ ହୋଇଯାଇଥିଲେ। ଏନେଇ ମହିଳାଜଣଙ୍କ ନିଜ ପଡ଼ୋଶୀଙ୍କୁ ଜଣାଇ ପରେ ପୁଲିସ୍‌କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର