ଅଳଙ୍କାର ଦୋକାନରୁ ଲୁଟିଲେ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା

ହାଟଡିହି: କିଛିଦିନର ନିରବତା ପରେ ହାଟଡିହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ୟାଙ୍କ ଛକରେ ଥିବା ରମଣୀ ଅଳଙ୍କାରରୁ ଆଖିପିଛୁଳାକେ ଲୁଟି ନେଇଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର। ଏନେଇ ନନ୍ଦିପଦା ଥାନାରେ ଅଭିିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ରମଣୀ ଅଳଙ୍କାରର ମାଲିକ ଶିବନାରାୟଣପୁରର ରମଣୀ ରଞ୍ଜନ ସାହୁ ଆଜି ସକାଳ ୮ଟାବେଳେ ଦୋକାନ ଖୋଲିଥିଲେ। ଦୋକାନ ଭିତରେ ଅଳଙ୍କାର ବ୍ୟାଗ୍‌ ରଖି ନିକଟରେ ଥିବା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ଫେରିବାବେଳେକୁ ଦୋକାନରେ ଅଳଙ୍କାର ବ୍ୟାଗ୍‌ ନଥିଲା। ବ୍ୟାଗ୍‌ରେ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପା ଅଳଙ୍କାର ଥିବା ରମଣୀ କହିଛନ୍ତି। ଏନେଇ ସେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତବର୍ଷ ଲକ୍ଷ୍ମୀପୂଜା ସମୟରେ ଠିକ୍‌ ଏହିପରି ଢ଼ଙ୍ଗରେ ଛେନାପଦିଛକରେ ଥିବା ରମଣୀଙ୍କ ଭାଇଙ୍କ ଅଳଙ୍କାର ଦୋକାନରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ମିଳିନଥିବାବେଳେ ପୁଣି ଆଉ ଏକ ଲୁଟ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ସମ୍ବନ୍ଧିତ ଖବର