ଗୋଲ୍ଡେନ୍‌ ବାବା ସହଯୋଗୀକୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: କିଛି ଦିନ ଧରି ଥଣ୍ଡା ପଡ଼ି ଯାଇଥିବା ଜ୍ୟୋତିରଂଜନ ବେଉରା ଓରଫ ଗୋଲ୍ଡେନ ବାବା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ବାବାର ଜଣେ ସହଯୋଗୀ ଅଶ୍ବିନୀ କୁମାର ପ୍ରଧାନଙ୍କୁ ଗିରଫ କରିଛି। ଅଶ୍ବିନୀର ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଭେସରି ଗ୍ରାମରେ। ବାବା ଗିରଫ ହେବା ପରେ ସେ ଫେରାର୍‌ ହୋଇଯାଇଥିଲା। ତେବେ ଆଜି ବଡ଼ି ଭୋର୍‌ରୁ ଇଓଡବ୍ଲୁର ଅଧିକାରୀମାନେ ତା’ ଘର ଉପରେ ଚଢ଼ଉ କରି ଗିରଫ କରିଛନ୍ତି। ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯିବା ପରେ ସେଠାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ଇଓଡବ୍ଲୁର ସୂଚନା ମୁତାବକ, ଅଶ୍ବିନୀ ଗୋଲ୍ଡେନ ବାବା ଘରେ ରହୁଥିଲା ଏବଂ ତା’ ସହ ବିଭିନ୍ନ ଅପରାଧରେ ସାମିଲ ଥିଲା। ବାବା ଘରର ଠିକଣା ବ୍ୟବହାର କରି ସେ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିଥିଲା। ନେସନାଲ ଏଣ୍ଟରପ୍ରାଇଜର୍ସ ଠକେଇରେ ବାବା ସହ ଅଶ୍ବିନୀ ମୁଖ୍ୟ ଭୂମିକା ନିଭାଇଥିଲା। ବ୍ୟାଙ୍କ୍‌ ଆକାଉଣ୍ଟ ସହ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରେ ଅଶ୍ବିନୀର ଭୂମିକାକୁ ବିଚାରକୁ ନେଇ ଇଓଡବ୍ଲୁ ତାକୁ ଟାର୍ଗେଟ କରିଥିଲା। ଧରାପଡ଼ିବା ଭୟରେ ସେ ଗୋଲ୍ଡେନ ବାବା ଘର ଛାଡ଼ି ନିଜ ଘରକୁ ଚାଲି ଯାଇଥିଲା। ପଚରା ଉଚରା ବେଳେ ଇଓଡବ୍ଲୁ ତା’ଠାରୁ ଗୋଲ୍ଡେନ ବାବାର ଅନ୍ୟ କେତେକ ଅପରାଧ ସମ୍ପର୍କରେ ସୂଚନା ପାଇଛି। ଖୁବ୍‌ଶୀଘ୍ର ଇଓଡବ୍ଲୁ ଅନ୍ୟ ସହଯୋଗୀଙ୍କ ପାଖରେ ପହଞ୍ଚିବା ସହ ବାବା ଅପରାଧ ସାମ୍ରାଜ୍ୟର ଅନ୍ୟ କେତେକ ଅନାଲୋଚିତ ଅଧ୍ୟାୟ ସାମ୍ନାକୁ ଆଣିବ ବୋଲି ଜଣାପଡ଼ିଛି। ଗୋଲ୍ଡେନ ବାବାଠାରୁ ପଇସା ନେଇଥିବା ସାମ୍ବାଦିକ ଓ ରାଜନେତା ମଧ୍ୟ ଇଓଡବ୍ଲୁ ଜାଲର ପଡ଼ିପାରନ୍ତି ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗତ ଜାନୁଆରିରେ ଗୋଲ୍ଡେନ ବାବା ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଚେକ୍‌ ବାଉନ୍ସ ମାମଲା ଓ ଲକ୍ଷ୍ମୀସାଗର ଥାନା ଅଣଓଡ଼ିଆ ଶିଳ୍ପପତିଙ୍କୁ ଠକେଇ ଅଭିଯୋଗ ତଦନ୍ତ ଭାର ଇଓଡବ୍ଲୁ ନେଇଥିଲା।

ସୂଚନା ମୁତାବକ, ବଡବିଲର ନ୍ୟାସନାଲ ଏଣ୍ଟରପ୍ରାଇ‌ଜେସ୍‌କୁ ୧୧୦ କୋଟି ଟଙ୍କାର ଋଣ ଯୋଗାଇ ଦେବା ପାଇଁ ଗୋଲ୍ଡେନ ବାବା ସମ୍ପୃକ୍ତ ସଂସ୍ଥାର ସତ୍ତ୍ବାଧିକାରୀ ଚରଣଜିତ୍‌ ସିଂହ ଗ୍ରେୱାଲଙ୍କ ସହ ଚୁକ୍ତି କରିଥିଲା। ଏଥିପାଇଁ ବାର୍ଷିକ ୪.୭୫ପ୍ରତିଶତ ସୁଧ ନେବା ପାଇଁ ବୁଝାମଣା ହୋଇଥିଲା। ୧୦ବର୍ଷରେ ଏହି ଋଣ ଶୁଝିବା ପାଇଁ ୨୦୧୮ ନଭେମ୍ବର ୨୦ ତାରିଖରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ଅଶ୍ବିନୀ ଏଥିରେ ସାକ୍ଷୀ ଭାବେ ଦସ୍ତଖତ କରିଥିଲା। ଏଥିପାଇଁ ଚରଣଜିତ୍‌ ଏପ୍ରିଲ୍‌ ୨୦୨୦ରୁ ଏପ୍ରିଲ୍‌ ୨୦୩୦ ତାରିଖ ମଧ୍ୟରେ ଉଠାଣ ପାଇଁ ୧୧ଟି ପୋଷ୍ଟ ଡେଟେଡ୍‌ ଚେକ୍‌ ପ୍ରଦାନ କରିଥିଲେ। ୨୦୨୮ ମସିହା ଏପ୍ରିଲ ୧ ତାରିଖରେ ଉଠାଣ ପାଇଁ ଥିବା ଏକ ଚେକ୍‌ର ତାରିଖ ବଦଳାଇ ୨୦୧୮ ସେପ୍ଟେମ୍ବର ୧ ତାରିଖରେ ଏହି ଚେକ୍‌ ବଳରେ ୧୨କୋଟି ୪ ଲକ୍ଷ ଉଠାଯାଇଥିଲା। ଏହି ନକଲି ଚେକ୍‌କୁ ଅଶ୍ବିନୀ ନଭେମ୍ବର ୨୦ ତାରିଖରେ ବ୍ୟାଙ୍କ୍‌ ଆସି ଉଠାଇଥିଲା। ବାବା ସହ ଅପରାଧ‌ରେ ସାମିଲ ଥିବାରୁ ଇଓଡବ୍ଲୁ ଅଶ୍ୱିନୀକୁ ଟାର୍ଗେଟ୍‌ କରିଥିଲା।

ସମ୍ବନ୍ଧିତ ଖବର