ସୁନା ବିସ୍କୁଟ୍‌ ବିକିବା ବାହାନାରେ ୭ ଲକ୍ଷ ଲୁଟ୍‌ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଖଣ୍ଡଗିରି: ଗତ ଡିସେମ୍ବର ମାସରେ ସୁନା ବିସ୍କୁଟ୍ ବିକିବା ବାହାନାରେ ଜଣେ ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେ ହେଲା ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ରହୁଥିବା ଖୋର୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁର ରମେଶ ମହାନ୍ତି ଓରଫ୍ ସୁରେଶ। ଜାମିନ୍ ନାମଞ୍ଜୁର ହେବା ପରେ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ମହାନ୍ତି(ମାଷ୍ଟର ମାଇଣ୍ଡ) ଓ କାଳନ୍ଦୀ ସାହୁକୁ ଜେଲ୍‌ ହାଜତକୁ ପଠାଇଥିଲା। ସୂଚନାନୁସାରେ ଝାରପଡ଼ା ଜଗନ୍ନାଥନଗରରେ ରହୁଥିବା କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁର ତୋଫାନ ମହାପାତ୍ରଙ୍କ ସମ୍ପର୍କୀୟ ଭାଇ ନଗେନ୍ ପଣ୍ଡା ଗାଁରେ ଏକ ସୁନା ଦୋକାନ କରିଛନ୍ତି। ତୋଫାନ୍‌ଙ୍କ ସହ ଅଭିଯୁକ୍ତ ରାଜେନ୍ଦ୍ରର ପୂର୍ବରୁ ପରିଚିତି ଥିଲା। ତେଣୁ ତୋଫାନଙ୍କ ଭାଇ ନଗେନଙ୍କ ସୁନା ଦୋକାନ ବାବଦରେ ରାଜେନ୍ଦ୍ରକୁ ଜଣାଥିଲା‌। ଏକଦା ରାଜେନ୍ଦ୍ର ଶସ୍ତାରେ ସୁନା ବିସ୍କୁଟ୍‌ ଯୋଗାଇ ଦେବ ବୋଲି ତୋଫାନଙ୍କୁ କହିଲା ଓ ତୋଫାନ ନଗେନ୍‌ଙ୍କୁ ଏହା ଜଣାଇଲେ। କଥା ଅନୁସାରେ ଗତ ଡି‌ସେମ୍ବର ୨୩ ତାରିଖ ସକାଳ ୮ଟାରେ ନଗେନ୍‌ ୭ ଲକ୍ଷ ଟଙ୍କା ଧରି ଭୁବନେଶ୍ବର ରାମ ମନ୍ଦିର ନିକଟରେ ପହଞ୍ଚିଥିଲେ। କିନ୍ତୁ ରାଜେନ୍ଦ୍ର ନଗେନ୍ ଓ ତୋଫାନଙ୍କୁ ସନ୍ଧ୍ୟା ୬ଟା ବେଳକୁ ସମ୍ ହସ୍ପିଟାଲ ନିକଟକୁ ଡକାଇ ନେଇଥିଲା। ସେମାନେ ଧାର୍ଯ୍ୟ ସମୟରେ ଠିକଣା ସ୍ଥାନରେ ପହଞ୍ଚିଥିଲେ। ରାଜେନ୍ଦ୍ରକୁ ଏକୁଟିଆ ଦେଖି ତୋଫାନ୍ ସୁନା ବିସ୍କୁଟ୍ ପାର୍ଟିକୁ ଖୋଜିଥିଲେ। ତେବେ ସେତିକିବେଳେ ହଠାତ୍ ୩/୪ ଜଣ ମାରଣାସ୍ତ୍ର(ବନ୍ଧୁକ ଓ ଭୁଜାଲି) ଧରି ସେଠାରେ ପହଞ୍ଚିଥିଲେ ଓ ସେମାନଙ୍କୁ ଭୟଭୀତ କରାଇ ଟଙ୍କା ବ୍ୟାଗ୍‌ ଛଡ଼ାଇ ଫେରାର୍ ହୋଇ ଯାଇଥିଲେ। ସେତେ‌ବେଳେ ତୋଫାନ ଓ ନଗେନ ଜାଣିଲେ ଯେ ରାଜେନ୍ଦ୍ର ହିଁ ଲୁଟ୍‌ର ମାଷ୍ଟର ମାଇଣ୍ଡ। ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ଜାନୁଆରି ମାସରେ ରାଜେନ୍ଦ୍ର ଓ କାଳନ୍ଦୀକୁ ଗିରଫ କରିଥିଲା। ଫେରାର ଥିବା ରମେଶକୁ ଆଜି ସକାଳେ ପୁଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିଥିଲା। ଏମାନେ ପୂର୍ବରୁ ଖାରବେଳନଗର ଥାନା ପୁଲିସ ଦ୍ବାରା ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ।

ସମ୍ବନ୍ଧିତ ଖବର