ଫ୍ଲାଟ୍‌ ଦେବା ନାଁରେ ୪.୩୩ କୋଟି ଟଙ୍କା ଠକେଇ

ଗୋଲ୍ଡେନ୍‌ ଭ୍ୟୁ ନିର୍ଦେଶକ ଗିରଫ

ଭୁବନେଶ୍ୱର: ଫ୍ଲାଟ୍‌ ଦେବାକୁ କହି ୪.୩୩ କୋଟି ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି। ସେ ହେଲେ ଗୋଲ୍ଡେନ୍‌ ଭ୍ୟୁ ଇନ୍‌ଫ୍ରାଷ୍ଟ୍ରକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ପ୍ରେମାନନ୍ଦ ମହାପାତ୍ର(୫୫)। ପ୍ରେମାନନ୍ଦ ୨୦୧୦ରେ ଗୋଲ୍ଡେନ୍‌ ଭ୍ୟୁ ଇନ୍‌ଫ୍ରାଷ୍ଟ୍ରକଚର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ବିଲ୍ଡର ସଂସ୍ଥା ଆରମ୍ଭ କରିଥିଲେ। ତେବେ ଗତ ୨୦୧୪ ମସିହାରେ ସଂସ୍ଥା ତମାଣ୍ଡୋ ବିଜିପୁର ମୌଜାରେ ଗୋଲ୍ଡେନ୍‌ ଭ୍ୟୁ ଆପାର୍ଟମେଣ୍ଟରେ ୩୫ ଜଣ ଗ୍ରାହକଙ୍କୁ ଫ୍ଲାଟ୍‌ ଯୋଗାଇ ଦେବାକୁ ଏକ ଚୁକ୍ତି କରିଥିଲା। ଏହାପରେ କଟକରୋଡ୍‌ସ୍ଥିତ କାନାରା ବ୍ୟାଙ୍କରୁ ୩୫ ଜଣ ଗ୍ରାହକଙ୍କୁ ଗୃହ ଋଣ ଯୋଗାଇ ଦେଇଥିଲା। ଏଥିପାଇଁ ସଂସ୍ଥା ବ୍ୟାଙ୍କରୁ ୪.୩୩ କୋଟି ଟଙ୍କା ନେଇଥିଲା। ଗ୍ରାହକମାନଙ୍କୁ ୪ ବର୍ଷ ମଧ୍ୟରେ ଆପାର୍ଟମେଣ୍ଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ଟଙ୍କା ନେବାର ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରେମାନନ୍ଦ ଉକ୍ତ ଜମିରେ କୌଣସି ନିର୍ମାଣ ଆରମ୍ଭ କରି ନ ଥିଲେ। ଏମିତିକି ବ୍ୟାଙ୍କର ଟଙ୍କା ବି ସୁଝି ନଥିଲେ। ବ୍ୟାଙ୍କ ପକ୍ଷରୁ ପ୍ରେମାନନ୍ଦଙ୍କୁ ନୋଟିସ୍‌ କରାଯାଇଥିଲେ ମଧ୍ୟ ସେ ଜବାବ ରଖି ନଥିଲେ। ଶେଷରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଋଣ ଟଙ୍କା ବାବଦରେ ନୋଟିସ୍‌ ଯିବାରୁ ସେମାନେ ଗତ ମାର୍ଚ୍ଚ ମାସ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ମଙ୍ଗଳବାର ରାତିରେ ଇଓଡବ୍ଲ୍ୟୁ ପ୍ରେମାନନ୍ଦଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର