ବନ୍ଧା ହେଲେ ଗୋଲ୍‌ଡେନ୍‌ ବାବା

ଚନ୍ଦ୍ରଶେଖରପୁର : ଶେଷରେ ବନ୍ଧା ହୋଇଛି ଜ୍ୟୋତିରଂଜନ ବେଉରା ଓରଫ ଗୋଲଡେନ୍‌ ବାବା। ଏକ ଠକେଇ ଅଭିଯୋଗରେ ଆଜି ସକାଳେ ତାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ତା’ ନାଁରେ ୭ଟି ଅଭିଯୋଗ ରହିଛି। କଳାରାହାଙ୍ଗସ୍ଥିତ ଘରେ ଚଢ଼ଉ କରି ପୁଲିସ ତାକୁ ଗିରଫ କରିଛି। ତା’ର ଗିରଫ ଖବର ଶୁଣି ଠକେଇର ଶିକାର ହୋଇଥିବା ଲୋକମାନେ ଥାନାରେ ପହଞ୍ଚୁଥିବା ବେଳେ କେତେକ ସଂସ୍ଥାର ମାଲିକ ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ଢଙ୍ଗରେ ‌ସେ କୋଟି କୋଟି ଟଙ୍କା ଠକିଛି। ଗିରଫ ହେବା ପରେ ତା’ର ଗୋଟିଏ ପରେ ଗୋଟିଏ କଳାକାରନାମା ପଦାକୁ ଆସୁଛି। ତା’ର ରାଜନୈତିକ ପୃଷ୍ଠପୋଷକତା ଥିବାରୁ ଥାନା ଅଞ୍ଚଳରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି।

ପୁଲିସ ସୂଚନା ମୁତାବକ, ଏମ୍ଏସ୍ ନେସ୍‌ନାଲ୍‌ ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନିକୁ ୧୧୦ କୋଟି ଟଙ୍କା ଫାଇନାନ୍‌ସ କରିବାକୁ ଚୁକ୍ତି କରିଥିଲା। ଏଥିପାଇଁ କମ୍ପାନି ତାକୁ ଅଗ୍ରୀମ ୧୨ଟି ଚେକ୍ ଦେଇଥିଲା।‌ ୧୨.୪ କୋଟି ଟଙ୍କା ମୂଲ୍ୟର ପ୍ରତି ଚେକ୍‌ ଉଠାଣ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ଅତି ଚତୁରତାର ସହ ନିର୍ଧାରିତ ତାରିଖର ଦେଢ଼ ବର୍ଷ ପୂର୍ବରୁ ତାରିଖ ବଦଳାଇ ଚେକ୍‌ରୁ ନଗଦ ଟଙ୍କା ଉଠାଣ କରୁଥିଲା। ଏଭଳି ଅନେକ ଥର ହେବା ପରେ କମ୍ପାନି କର୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। କର୍ତ୍ତୃପକ୍ଷ ଏହାର ଖୋଳତାଡ଼ କରିବା ପରେ ଏଭଳି ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଏଣୁ କମ୍ପାନି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଜ୍ୟୋତିରଂଜନକୁ ଗିରଫ କରିବା ପାଇଁ ତାର ନୀଳାଦ୍ରିବହାର ଓ କହାରାହାଙ୍ଗ ଘରେ ଚଢ଼ଉ କରିଥିଲେ ମଧ୍ୟ ସେ ଫେରାର ଥିଲା। ସେ ରାଜଧାନୀରୁ ଦିଲ୍ଲୀ ପଳାଇଥିବା ପୁଲିସ ଜାଣି ପାରିଥିଲା। ଆଜି ସେ କଳାରାହାଙ୍ଗ ଘରକୁ ଆସିଥିବା ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିବା ସହ ସଂଧ୍ୟା‌ରେ କୋର୍ଟ ଚାଲାଣ କରିଛି।

ବିଭିନ୍ନ ଥାନା ଅଧୀନରେ ଅନ୍ୟ କେତେକ ମାମଲାରେ ତା’ର ସମ୍ପୃକ୍ତି ଥିବାରୁ ରାତିରେ ଚନ୍ଦ୍ରଶେଖରପୁର ଥାନାରେ ନୂଆପଲ୍ଲୀ, ମଞ୍ଚେଶ୍ବର ଓ ଇନ୍‌ଫୋସିଟି ଥାନାର ଅଧିକରୀମାନେ ଏକାଠି ହୋଇ ରୁଦ୍ଧଦ୍ବାର ବୈଠକ କରିଛନ୍ତି। ସେ ବ୍ୟବହାର କରୁଥିବା ୪ଟି ଦାମୀ କାର ଓ ଦୁଇଟି ବିଳାସପୂର୍ଣ୍ଣ କୋଠାଘର ଉପରେ ପୁଲିସ ନଜର ରଖିଛି। ଠକେଇରେ ସାମିଲ୍ ଥିବା ତାର ଅନ୍ୟ ୩ ସହଯୋଗୀଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର