ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ତିନି ଚୋର ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ଚଳନ୍ତା ଟ୍ରକରୁ ସାମଗ୍ରୀ ଚୋରି କରୁଥିବା ଦେଖିବାକୁ ମିଳିଛି। ଏହି ଚୋରି ଘଟଣାରେ ଟ୍ରକ୍ ଚାଳକ ମଧ୍ୟ ଚୋରିରେ ସମ୍ପୃକ୍ତ ଥିବା ଜଣାପଡିଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଟ୍ରକ ଚାଳକ ତାଙ୍କ ଗାଡିକୁ ରାସ୍ତା ପାର୍ଶ୍ୱକୁ ଆଣି ଧୀରେ ଧୀରେ ଚଲାଉଛନ୍ତି। ଏହି ସମୟରେ ଚଳନ୍ତା ଟ୍ରକ ଉପରେ ଦୁଇଜଣ ଚୋର ଚଢ଼ିଥିବା ବେଳେ ଟ୍ରକର ଠିକ ପଛରେ ଜଣେ ଚୋର ବ୍ୟକ୍ତି ବାଇକ ନେଇ ଯାଉଛି। ଏହି ସମୟରେ ଟ୍ରକରୁ କିଛି ସାମଗ୍ରୀ ଚୋରି କରିବା ପରେ ଜଣକ ପରେ ଜଣେ ଦୁଇଜଣ ଚୋର ଟ୍ରକରୁ ଓହ୍ଲାଇ ବାଇକରେ ବସୁଛନ୍ତି। ଏହାପରେ ଟ୍ରକ ଚାଳକ ଜଣକ ଦ୍ରୁତଗତିରେ ଗାଡ଼ି ନେଇ ଚାଲି ଯାଉଛନ୍ତି।
ଏହି ଘଟଣାକୁ ଉକ୍ତ ଟ୍ରକ ପଛରେ ଆସୁଥିବା ଅନ୍ୟ ଯାତ୍ରୀମାନେ ରେକର୍ଡ କରି ନେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ କଡ଼ା ଯାଞ୍ଚର ଦାବି କରିଛନ୍ତି। କାରଣ ମାଲିକମାନେ ବିଶ୍ବାସରେ ସାମଗ୍ରୀ ପଠାଉଥିବା ବେଳେ ବାଟରେ ଏମିତି ଚୋରି ଘଟଣା ବଡ଼ ଚିନ୍ତାର କାରଣ। ଏଥିସହିତ ଏହି ଚୋରି ଘଟଣାରେ ଟ୍ରକ ଚାଳକ ବି ସାମିଲ ଥିବା ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଛି। କାରଣ ଦୁଇଜଣ ଚୋର ଟ୍ରକ ଉପରେ ଚଢ଼ିଥିବା ବେଳେ ଗାଡ଼ିର ବେଗ ଧୀର ରହିଛି। ଦୁଇଜଣଙ୍କୁ ଟ୍ରକ ଚାଳକ ତାଙ୍କ ସାମ୍ନା ଦର୍ପଣରେ ସ୍ପଷ୍ଟ ଭାବେ ଦେଖି ପାରୁ ବି ଥିବେ। ଏହା ସତ୍ତ୍ବେ ବି ସେ ଟ୍ରକକୁ ନଅଟକାଇ ଧୀରେଧୀରେ ଚଲାଇଥିଲେ। ଯେମିତି ଦୁଇଜଣ ଚୋର ଓହ୍ଲାଇ ପଡ଼ିଥିଲେ। ତା’ପରେ ସେ ତାଙ୍କ ଗାଡ଼ିର ବେଗ ବଢ଼ାଇ ଚାଲି ଯାଇଥିଲେ। ତେଣୁ ଏହି ଘଟଣା ଯାଞ୍ଚ ହେବା ନିହାତି ଆବଶ୍ୟକ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି।
ये वीडियो आगरा-मुंबई नेशनल हाईवे पर मध्यप्रदेश में शाजापुर जिले की है। बाइक सवार 3 चोर चलते ट्रक से सामान चुरा रहे हैं। हालांकि इस घटना में ऐसा भी लगता है, जैसे ट्रक ड्राइवर की मिलीभगत हो। चोरी होने तक ट्रक साइड चलता रहा। चोरी पूरी होते ही ट्रक की साइड बदल गई... pic.twitter.com/FfhIZHpJps
— Sachin Gupta (@SachinGuptaUP) May 25, 2024
କାରଣ ପ୍ରତିଦିନ ଟ୍ରକଗୁଡ଼ିକରେ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ମାଲିକମାନେ ଲୋଡ଼ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇଥାଆନ୍ତି। ଏପରି କ୍ଷେତ୍ରରେ ଏମତି ଚୋରି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।