ଭୋପାଳ: ଡାଏଲ୍ ୧୦୦ ପୋଲିସ ଗାଡ଼ିକୁ ହାଇଜାକ୍ କରି ଦଳେ ଗୁଣ୍ଡା ସେଥିରେ ଥିବା ପୁଲିସମାନଙ୍କ ପୋଷାକ ଓହ୍ଲାଇ ନେଇ ନିଜେ ପିନ୍ଧିବା ପରେ ଜଣେ ଝିଅକୁ ଅପହରଣ କରି ଆଣିଛନ୍ତି। ରବିବାର ବଡ଼ି ଭୋର୍ ବେଳେ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଗ୍ରାମରେ ଏ ଭଳି ଘଟଣା ଘଟିଛି।
ତିନି ଜଣ ପୁଲିସଙ୍କୁ ବାନ୍ଧି ପକାଇବା ପରେ ଗୁଣ୍ଡାଦଳ ୪୫ ମିନିଟ୍ ପାଇଁ ଡାଏଲ୍ ୧୦୦ ଗାଡ଼ିଟିକୁ ନେଇ ଯାଇଥିଲେ। ଅପରାଧୀମାନଙ୍କୁ ଧରିବା ପାଇଁ ତଲାସ ଅଭିଯାନ ଚାଲିଛି ବୋଲି ପନ୍ନାର ଏସ୍ପି ଇକ୍ବାଲ୍ ରିୟାଜ୍ କହିଛନ୍ତି।
ତାଙ୍କ କହିବାନୁସାରେ, ଶନିବାର ଦିନ ରାତି ସାଢ଼େ ୧୧ଟାବେଳେ ଡାଏଲ୍ ୧୦୦ ଗୋଟେ କଲ୍ ପାଇଥିଲା। ଏଏସ୍ଆଇ ସୁବାସ ଦୁବେ, ହେଡ୍ କନେଷ୍ଟବଳ ପ୍ରକାଶ ମଣ୍ଡଳ ଏବଂ ଡ୍ରାଇଭର ଶରାଫତ ଖାଁ ଗାଡ଼ି ନେଇ ବାମୋରି ଗାଁ ବାହାରେ ପହଞ୍ଚିଲେ। ସେଠାରେ ଦେଖିଲେ ଜଣେ ଲୋକ ମୁହଁମାଡ଼ି ତଳେ ପଡ଼ିଛି।
ତିନିହେଁ ପଡ଼ିଥିବା ଲୋକଟି ନିକଟକୁ ଗଲେ। ହଠାତ୍ ଲୋକଟି ବୁଲି ପଡ଼ି ସେମାନଙ୍କ ଆଡ଼କୁ ପିସ୍ତଲ ଦେଖାଇଥିଲା। ସଙ୍ଗେ ସଙ୍ଗେ ତା’ର ସହଯୋଗୀଗଣ ଆସି ତିନି ପୁଲିସଙ୍କର ପୋଷାକ ଓହ୍ଲାଇ ପକାଇ ସେମାନଙ୍କୁ ବାନ୍ଧି ପକାଇଥିଲେ।
ପୁଲିସ ତିନହେଁଙ୍କୁ ଗୋଟାଏ କାର୍ରେ ପୂରାଇ ବନ୍ଦ କରିବା ପରେ ଗୁଣ୍ଡାମାନେ ଖାକି ପୋଷାକ ପିନ୍ଧି ସେଇ ଗାଁ’ର ୨୦ ବର୍ଷୀୟ ଝିଅଙ୍କ ଘରକୁ ଗାଡ଼ି ଚଳାଇ ଯାଇଥିଲେ।
ଝିଅର ବାପା ଜଣେ କୃଷକ। ସେ କହନ୍ତି, ରାତି ଅଧରେ କବାଟ ଖୋଲିବାକୁ ମୁଁ ଚାହୁଁ ନ ଥିଲି। ବାହାରେ ପୁଲିସ ଗାଡ଼ି ଛିଡ଼ା ହୋଇଥିବା ଦେଖି ମୁଁ କବାଟ ଖୋଲିଲି। ସେମାନେ କହିଲେ କି, ଝିଅର ବୟାନ୍ ରେକର୍ଡ କରିବାକୁ ତାକୁ ଥାନାକୁ ନେବାକୁ ପଡ଼ିବ। କାଳେ ସେ ସନ୍ଦେହ କରିବେ, ତେଣୁ ତାଙ୍କୁ ମଧ୍ୟ ଝିଅ ସହ ଆସିବାକୁ କହିଥିଲେ।
/sambad/media/post_attachments/wp-content/uploads/2018/01/ppp1-300x225.jpg)
ସନ୍ଦେହ ହେଲେ ମଧ୍ୟ ମୁଁ ସେମାନଙ୍କ ସାଥିରେ ଗଲି। କିନ୍ତୁ କିଛି ଦୂର ଯିବା ପରେ ସେମାନେ ମତେ ଗାଡ଼ିରୁ ଠେଲି ପକାଇ ଦେଲେ।
ତା’ପରେ ଗୁଣ୍ଡାଦଳ ପୁଲିସମାନଙ୍କୁ ବାନ୍ଧି ରଖିଥିବା ଜାଗାକୁ ଗଲେ। ସେମାନଙ୍କୁ ଡାଏଲ୍ ୧୦୦ ଗାଡ଼ିର ଚାବି ଓ ପୋଷାକପତ୍ର ଫେରାଇ ଦେଇ ଝିଅକୁ ଧରି ଦ୍ରୁତ ବେଗରେ କାର୍ ଚଳାଇ ପଳାଇ ଗଲେ।
ଥାନାକୁ ଫେରି ସେ ପୁଲିସମାନେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଏ କଥା କହିଲେ। ପୁଲିସ ଅପରାଧୀମାନଙ୍କର ସୁରାକ ପାଇଛି ଏବଂ ସେମାନଙ୍କୁ ଧରିବାକୁ କେତୋଟି ଟିମ୍ ଗଠନ କରିଛି।
ସେମାନଙ୍କ ମଧ୍ୟରେ ଜଣେ ନରହତ୍ୟା ଅଭିଯୁକ୍ତ ଥିବା ଜଣାପଡ଼ିଥିଲେ ମଧ୍ୟ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ତା’ର ପରିଚୟ ଗୋପନ ରଖିଛି। ଅପହରଣର ଉଦ୍ଦେଶ୍ୟ ଜଣା ପଡ଼ି ନାହିଁ। ମଧ୍ୟାହ୍ନ ଯାଏଁ ମଧ୍ୟ କେହି ଅପହରଣ କଥା ଜାଣି ନ ଥିଲେ। ଜିଲ୍ଲା ମୁଖ୍ୟାଳୟ ଠାରୁ ୬୦ କିଲୋମିଟର ଦୂର ଅମନଗଞ୍ଜର ଜଣେ ସ୍ଥାନୀୟ ସାମ୍ବାଦିକ ଏ କଥା ପ୍ରଘଟ କରି ଥିଲେ।