ଭୁବନେଶ୍ବର:ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ୍ ଯାଇଛନ୍ତି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଆଜି ସଂଧ୍ୟାରେ ତାଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତେବେ ସେଠାରେ ପ୍ରଦୀପଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପ୍ରଦୀପଙ୍କୁ ଭୁବନେଶ୍ବରର ଝାରପଡ଼ା ଜେଲକୁ ନିଆଯାଇଛି। ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀ ଜଣେ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗୀ ହୋଇଥିବାରୁ ଜେଲରେ ତାଙ୍କ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ଅଦାଲତଙ୍କୁ ଆବେଦନ କରିଛନ୍ତି ପ୍ରଦୀପଙ୍କ ଓକିଲ।
ସୂଚନା ଅନୁସାରେ, ଗୁରୁବାର ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଥିଲେ। ଟାଟା କଂପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ବିବୃତି ମଧ୍ୟ ଜାରି କରାଯାଇଛି।
/sambad/media/post_attachments/wp-content/uploads/2020/07/jail-bbsr.jpg)
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା। ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇ ଜେରା କରିଥିଲେ ବୋଲି ସୂଚନା ରହିଥିଲା । ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଇଥିଲା।
ନଭେମ୍ବର ୨୯ରେ ‘ଜନ ବିରୋଧୀ’ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ କରାଯାଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।