ଗୋରଖପୁର: କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ଆଜି (ରବିବାର) ଦୁଇଜଣ ପୁଲିସ ଅଧିକାରୀ ଇନ୍ସପେକ୍ଟର ଜେ.ଏନ୍ ସିଂ ଏବଂ ସବ୍-ଇନ୍ସପେକ୍ଟର ଅକ୍ଷୟ ମିଶ୍ରଙ୍କୁ ଗୋରଖପୁର ପୁଲିସ୍ ଗିରଫ କରିଛି। ଗିରଫ ହୋଇଥିବା ଏହି ଦୁଇ ପୁଲିସ ଅଧିକାରୀଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ଘୋଷଣା କରା ଯାଇଥିଲା। ଗୋରଖପୁର ପୁଲିସ ଏହି ଦୁଇ ପୁଲିସ ଅଧିକାରୀଙ୍କୁ ଗିରଫ କରିବା ପରେ ସେମାନଙ୍କୁ ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କାନପୁର ଏସଆଇଟିକୁ ହସ୍ତାନ୍ତର କରିଛି।
ଉଲ୍ଲେଖଯୋଗ୍ୟ, କାନପୁରର ରିଏଲ ଇଷ୍ଟେଟ ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା। ମନୀଷ ଗୁପ୍ତା ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ହୋଟେଲରେ ରହିଥିବା ବେଳେ ପୁଲିସ୍ ସଂପୃକ୍ତ ହେଟେଲ ରୁମ୍ରେ ପ୍ରବେଶ କରିଥିଲା। ପରେ ମନୀଷଙ୍କୁ ହୋଟେଲ ରୁମ୍ରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ମନୀଷଙ୍କ ପରିବାର ସଦସ୍ୟ ଅଭିଯୋଗ କରଥିଲେ ଯେ ପୁଲିସ୍ ମାଡ଼ ମାରିବାରୁ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। ମନୀଷ ଗୁପ୍ତାଙ୍କ ପତ୍ନୀ ମୀନାକ୍ଷୀ ମଧ୍ୟ ପୁଲିସ ସହ ସଂପୃକ୍ତ ହୋଟେଲର କର୍ମଚାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲେ।
ଏହି ଘଟଣା ପରେ ଉତ୍ତରପ୍ରଦେଶ କାନପୁର ପୁଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ଏକ ସପ୍ତାହ ପୂର୍ବରୁ, ଏସଆଇଟିର ଡେପୁଟି କମିଶନର (ଡିସିପି) ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ୬ ଜଣ ପଳାତକ ପୁଲିସ କର୍ମଚାରୀଙ୍କ ବିଷୟରେ ସୂଚନା ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ।