ଶାଢ଼ିରେ ଗୌତମ ବୁଦ୍ଧଙ୍କ ଫଟୋ : ୪ ଦୋକାନୀ ଗିରଫ, ଫ୍ୟାକଟ୍ରି ଖୋଜୁଛି ପୁଲିସ୍‌

ସୁରଟ୍‌: ଭଗବାନ୍‌ ବୁଦ୍ଧଙ୍କ ଫଟୋ ପ୍ରିଣ୍ଟ ଥିବା ଶାଢ଼ି ବିକ୍ରି କରୁଥିବାର ଅଭିଯୋଗରେ ଶୁକ୍ରବାର ୪ଜଣ କପଡ଼ା ଦୋକାନିଙ୍କୁ ଗିରଫ କରିଛି ପୁଲିସ । ବୌଦ୍ଧ ଧର୍ମାବଲମ୍ବୀଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବା ସହ ୧୨୦୦ଟି ଶାଢ଼ି ୪ଟି ଦୋକାନରୁ ଜବତ କରିଛି। ସମସ୍ତ ଯୁବ ଅମ୍ବେଦ୍‌କର ସମାଜ ସୁରଟ୍‌ ପକ୍ଷରୁ ଜିଲ୍ଲା କଲେକ୍ଟରଙ୍କ ପାଖରେଏ ନେଇ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ୪ ଜଣଙ୍କୁ ଗିରଫ କରିଥିଲା । ସୂଚନା ଅନୂଯାୟୀ, ଏହି ସଂସ୍ଥାର ଜଣେ ସଦସ୍ୟ ରିଙ୍ଗ୍‌ ରୋଡ଼ ପାଖରେ ଥିବା କପଡ଼ା ଦେକାନୀମାନେ ବୁଦ୍ଧଙ୍କ ଫଟୋ ପ୍ରିଣ୍ଟ କରି ଶାଢ଼ି ବିକ୍ରି କରୁଥିବାର ଜାଣିବାକୁ ପାଇଥିଲେ । ଏହା ପରେ ସେ ଗୁରୁବାର ଦିନ ଜିଲ୍ଲା କଲେକ୍ଟର ମହେନ୍ଦ୍ର ପଟେଲଙ୍କୁ ଏ ବିଷୟରେ ଜଣାଇଥିଲେ ।

ଯୁବ ଅମ୍ବେଦ୍‌କର ସମାଜର ଜଣେ ସଦସ୍ୟ କୁନାଲ ସୋନଭାନେ ବୁଦ୍ଧଙ୍କ ଫଟୋ ପ୍ରିଣ୍ଟ କରି ଶାଢ଼ି ବିକ୍ରି କରୁଥିବା ଦୋକାନୀ ମାନଙ୍କ ବିଷୟରେ ସମସ୍ତ ତଥ୍ୟ ନେଇ ସବାତପୁରା ପୁଲିସ ଷ୍ଟେସନରେ ଦେଇଥିଲେ । ବିନା ଅନୁମତିରେ ଦୋକନୀମାନେ ଏଭଳି ଶାଢ଼ି ବିକୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ କୁନାଲଙ୍କ ଅଭିଯୋଗ ରଖିବା ସହ ସହରର ସବୁ ଦୋକାନ ଉପରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ପୁଲିସକୁ ୧୨୦୦ଟି ବୁଦ୍ଧଙ୍କ ଫଟୋ ଥିବା ଶାଢ଼ି ମିଳିଥିଲା। ଏହାକୁ ଜବତ କରିବା ସହ ଦେକାନୀ ଏବଂ ଦୋକାନର ମାଲିକମାନଙ୍କୁ ମଧ୍ୟ ଗିରଫ କରିଥିଲା ।

“ଏହା ଆମ ଧାର୍ମିକ ଭାବନାକୁ ଆଘାତ ଦେଇଛି, ଯାହାକୁ କି ଆମେ କେବେ ହେଲେ ବରଦାସ୍ତ କରିବୁନି । ଏହି ଖବର ମୋତେ କିଛି ଦିନ ତଳେ ମିଳିଥିଲା, ଯେତେବେଳେ ଆର୍‌କେଟି ମାର୍କେଟରେ କାମ କରୁଥିିବା ମୋର ଜଣେ ସାଙ୍ଗ ଏହି ଶାଢ଼ିର ଫଟୋ ନେଇ କିିଛି ଦିନ ତଳେ ମୋତେ ପଠାଇଥିଲା । ଆମେଏ ନେଇ ତଦନ୍ତ କରିବା ପରେ ୪ଟି ଦୋକାନୀ ଏଭଳି ପ୍ରିଣ୍ଟର ଶାଢ଼ି ବିକିବା ସହ ବିଦେଶକୁ ମଧ୍ୟ ରପ୍ତାନି କରୁଥିବାର ଜାଣିବାକୁ ପାଇଥିଲୁ” ।

ଅନ୍ୟ ପକ୍ଷରେ ଗିରଫ ହୋଇଥିବା ଦୋକାନୀମାନଙ୍କ କହିବା ଅନୁଯାୟୀ, ‘ଏହି ଶାଢ଼ି ଆମେ ଦୁଇ ମାସ ହେଲା ବିକ୍ରି କରି ଆସୁଛୁ । କୌଣସି ଧର୍ମକୁ ଆଘାତ ଦେବାର ଭାବନା ଆମର ନଥିଲା।’ ପୁଲିସ ଅଭିଯୁକ୍ତଙ୍କ ବୟାନ ରେକର୍ଡ଼ କରିବା ସହ ଏହି ଶାଢ଼ିକୁ ପ୍ରିଣ୍ଟ କରୁଥିବା ଫ୍ୟାକ୍‌ଟ୍ରିକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର