ନୂଆଦିଲ୍ଲୀ: ଗତ କିଛି ଦିନ ହେବ ନିକ୍କି ଭାଟୀଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ନିକ୍କି ଓ ତାଙ୍କ ଭଉଣୀ କାଞ୍ଚନ ଗୋଟାଏ ପରିବାରରେ ବିବାହ କରିଥିଲେ। ନିକ୍କିଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଓ ଶାଶୁ-ଶଶୁର ଭଉଣୀକୁ ଜାଳି ତାଙ୍କୁ ମାରିଥିବା ଅଭିଯୋଗ କରିଥିଲେ କାଞ୍ଚନ। ଯୌତୁକ ପାଇଁ ନିକ୍କିଙ୍କୁ ତାଙ୍କ ସ୍ବାମୀ ମାଡ଼ ମାରୁଥିବା ବେଳେ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ତାଙ୍କୁ ମାରିଥିବା ପୁଲିସକୁ କାଞ୍ଚନ ଜଣାଇଥିଲେ। ଏସବୁ ମଧ୍ୟରେ ଏବେ ନିକ୍କିଙ୍କ ଭାଉଜଙ୍କ ବୟାନ ସାମ୍ନାକୁ ଆସିଛି।

Advertisment

ଯୌତୁକ ପାଇଁ ନିର୍ଯାତନାର ଶିକାର ହେଉଥିବା ନିକ୍କି, ତାଙ୍କ ଭାଉଜ ମୀନାକ୍ଷୀଙ୍କୁ ମଧ୍ୟ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ ବୋଲି ସେ ଜଣାଇଛନ୍ତି। ଏମିତି କି ଉଭୟ କାଞ୍ଚନ ଓ ନିକ୍କି ତାଙ୍କୁ ମାଡ଼ ମାରୁଥିଲେ ବୋଲି ସେ କହିଛନ୍ତି। ସୂଚନା ମୁତାବକ, ୨୦୧୬ରେ ମୀନାକ୍ଷୀ, ନିକ୍କିଙ୍କ ଭାଇ ରୋହିତଙ୍କୁ ବିବାହ କରିଥିଲେ। ବିବାହର ୨ମାସ ପରେ ଯୌତୁକରେ ମିଳିଥିବା କାର୍ ପସନ୍ଦ ନଆସିବାରୁ ରୋହିତ୍, ମୀନାକ୍ଷୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ସ୍କର୍ପିଓ ଦରକାର ବୋଲି କହି ସେ ଯୌତୁକରେ ମିଳିଥିବା କାର୍ ବିକି ଦେଇଥିଲେ। କରୋନା ସମୟରେ ମୀନାକ୍ଷୀଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହା ପରେ ମୀନାକ୍ଷୀଙ୍କୁ ରୋହିତଙ୍କ ସମେତ କାଞ୍ଚନ, ନିକ୍କି ଓ ତାଙ୍କ ମାତାପିତା ମାଡ଼ ମାରିବା ଆରମ୍ଭ କରିଥିଲେ। ମୀନାକ୍ଷୀଙ୍କ ଭାଇ ତାଙ୍କୁ ନେବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିଲା। କିଛି ବର୍ଷ ଏଭଳି ନଣଦ, ସ୍ବାମୀ ଓ ଶାଶୁ-ଶଶୁରଙ୍କ ଅତ୍ୟାଚାର ସହିବା ପରେ ୨୦୨୪ରେ ସେ ଏହା ବିରୋଧରେ ପୁଲିସରେ ଅଭିଯୋଗ କରିଥିବା କହିଛନ୍ତି।