ଗ୍ରେଟର ନୋଏଡା: ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା। ଏବେ ପୁଲିସ କଲା ଏନକାଉଣ୍ଟର। ପୁଲିସ କଷ୍ଟଡିରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀ ବିପିନ ଭାଟ୍ଟୀ ଉପରକୁ ପୁଲିସ ଗୁଳି ଚଳାଇଥିଲା। ଏହି ଘଟଣାରେ ବିପିନର ଗୋଡ଼ରେ ଗୁଳି ବାଜିବା ସହ ସେ ଆହତ ହୋଇଥିବା ଜଣାଯାଇଛି। ଏହି ଏନକାଉଣ୍ଟର ସିରମା କ୍ରସିଂରେ ହୋଇଥିଲା। ପୁଲିସ ଏବେ ଅଭିଯୁକ୍ତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି।

Advertisment

କିଛି ସମୟ ପୂର୍ବରୁ ମୃତକ ନିକିଙ୍କ ବାପା ଅଭିଯୁକ୍ତର ଏନକାଉଣ୍ଟର କରିବାକୁ ଦାବି କରିଥିଲେ। ସାକ୍ଷାତକାରରେ ସେ କହିଥିଲେ ଯେ, "ଆମେ ଏନକାଉଣ୍ଟର ଚାହୁଁଛୁ। ଏହି ସରକାର କ'ଣ କରୁଛି। ଏଭଳି ଘୃଣ୍ୟ ଅପରାଧର ଦଣ୍ଡ ସ୍ୱରୂପ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟରରେ ହତ୍ୟା କରିବା ସହ ସେମାନଙ୍କ ଘର ଭାଙ୍ଗି ଦେବା ଉଚିତ୍। ସେମାନେ ହତ୍ୟାକାରୀ। ସେମାନଙ୍କୁ ଗୁଳି ମାରି ଦିଆଯିବା ଉଚିତ। ସେମାନଙ୍କ ଘର ଭାଙ୍ଗି ଦିଆଯିବା ଉଚିତ। ମୋ ଝିଅ ପାର୍ଲର ଚଳାଇ ତା’ ପୁଅକୁ ବଢ଼ାଉଥିଲା। ସେମାନେ ତାକୁ ନିର୍ଯାତନା ଦେଉଥିଲେ। ପୂରା ପରିବାର ଷଡ଼ଯନ୍ତ୍ରରେ ସାମିଲ ଥିଲା।"

Greater Noida murder case: Husband shot at in encounter (ANI Image)

ମୃତ ନିକ୍କିଙ୍କ ବଡ଼ ଭଉଣୀ କାଞ୍ଚନଙ୍କ କହିବା ମୁତାବକ, "୨୦୧୬ରେ ଆମ ଦୁହିଁଙ୍କ ବିବାହ ଗୋଟାଏ ପରିବାରରେ ହୋଇଥିଲା। ବାପା ସ୍କର୍ପିଓ ଗାଡ଼ି ସହ ସୁନା ଅଳଙ୍କାର ଦେଇ ବିବାହ କରାଇଥିଲେ। ହେଲେ ବିବାହ ପରେ ଏତେ ସବୁ ଜିନିଷ ନେଇ ମଧ୍ୟ ବିପିନର ଲୋଭ କମ ହୋଇନଥିଲା। ବାରମ୍ବାର ସେ ୩୬ଲକ୍ଷ ଟଙ୍କା ଯୌତୁକ ପାଇଁ ନିକ୍କି ଉପରେ ଚାପ ପକାଉଥିଲା। ଅନେକ ଥର ସେ ମୋ ଭଉଣୀକୁ ମାଡ଼ ମଧ୍ୟ ମାରିଛି। ସବୁ ସହି ମୋ ଭଉଣୀ ତା’ ସହ ରହୁଥିଲା। ହେଲେ ୮-୯ଦିନ ତଳେ ବିପିନର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲା ନିକ୍କି। ଏନେଇ ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତ ଗୁରୁବାର ଏନେଇ ଝଗଡ଼ା ହେବାରୁ ବିପିନ ମୋ ଭଉଣୀକୁ ମାଡ଼ ମାରି ତାକୁ ଜିଅନ୍ତା ଜାଳି ଦେଇଥିଲା। ମୁଁ ଏହାର ଭିଡିଓ କରିଥିଲି, ଯାହାକୁ ଏବେ ପୁଲିସ ପ୍ରମାଣ ଆଧାରରେ ନେଇ ତାକୁ ଗିରଫ କରିଛି। ଏସବୁ ଅପରାଧରେ ବିପିନ ସହ ତା’ର ପରିବାର ବି ଜଡ଼ିତ। ସମସ୍ତେ ମୋ ଭଉଣୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି।"

ତେବେ ଗିରଫ ହେବା ପୂର୍ବରୁ ବିପିନ ଭଲପାଇବାର ନାଟକ କରିଥିଲା। ଇନଷ୍ଟାଗ୍ରାମରେ ନିଜର ପେସା ଓକିଲ ବୋଲି ଲେଖିଥିବା ବିପିନ ନିକ୍କିଙ୍କ ଫଟୋ ପୋଷ୍ଟ କରି ଲେଖିଥିଲା, "ତୁମେ କାହିଁକି ମୋତେ କହିଲ ନାହିଁ କ'ଣ ଘଟିଥିଲା? ତୁମେ ମୋତେ କାହିଁକି ଛାଡି ଚାଲିଗଲ? ତୁମେ ଏପରି କାହିଁକି କଲ? ଦୁନିଆ ମୋତେ ହତ୍ୟାକାରୀ କହୁଛି, ନିକ୍କି। ତୁମେ ଯିବା ପରେ ମୋ ସହ କିଛି ଠିକ୍ ହେଉ ନାହିଁ। ମୁଁ ବର୍ବାଦ ହୋଇଗଲି।" ଏଭଳି ପୋଷ୍ଟ କରିବାର କିଛି ଘଣ୍ଟା ପରେ ପୁଲିସ ତାକୁ ଗିରଫ କରିଥିଲା।