ନୂଆଦିଲ୍ଲୀ: ବାହାଘର ପୂର୍ବରୁ ବରକୁ ପୁଲିସ ଉଠାଇ ନେବାର ଏକ ଘଟଣା ସାମ୍ନାକୁ ଆସିଛି। କାରଣ ବର ଏଟିଏମ କାଟୁଥିବା ସମୟରେ ଧରା ପଡ଼ିଯାଇଥିଲେ। ବର ପାଖରୁ ପୁଲିସ ଏଟିଏମ କଟର ମେସିନ ଓ ଗ୍ୟାସ ସିଲିଣ୍ଡର ସମେତ ଅନେକ ଉପକରଣ ଜବତ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି ବର ତିନିଦିନ ହେବ ଏଟିଏମ କାଟିବାକୁ ଚେଷ୍ଟା କରୁଥିବା ବେଳେ ‌ଶେଷରେ ଧରା ପଡ଼ି ଯାଇଥିଲେ।

Advertisment

ଏହି ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରୁ ସାମ୍ନାକୁ ଆସିଛି। ଅଭିଯୁକ୍ତ ନାମ ଆକାଶ ଗୁପ୍ତା ବୋଲି ଜଣାପଡ଼ିଛି। ଗତ ମଙ୍ଗଳବାର ଫେବ୍ରୁଆରି ୭ ତାରିଖରେ ଆକାଶର ବାହାଘର ଥିଲା। ବାହାଘରରେ ଖର୍ଚ୍ଚ କରିବାକୁ ତାଙ୍କ ପାଖରେ ଟଙ୍କା ନ ଥିଲା। କାରଣ କରୋନା ସମୟରେ ତାଙ୍କ ବ୍ୟବସାୟ ବନ୍ଦ ହୋଇ ଯାଇଥିଲା। ଆଉ ବାପା-ମା’ଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଏଭଳି ସମୟରେ ଆକାଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ବାହାଘର ଠିକ ହୋଇଯିବା ପରେ ଆକାଶ ଟଙ୍କା କେଉଁଠୁ ଆଣିବ ସେ ଚିନ୍ତାରେ ରହୁଥିଲେ।

ତେଣୁ ସେ ଏଟିଏମ କାଟି ଟଙ୍କା ନେବେ ବୋଲି ସ୍ଥିତ କରିଥିଲେ। ଏହାପରେ ସେ ଫିରୋଜାବାଦରେ  ଫେବ୍ରୁଆରି ୨ ତାରିଖରେ ଏଟିଏମ କାଟିବା ପାଇଁ ପହଞ୍ଚି ଯାଇଥି‌ଲେ। ଥରେ ସିକ୍ୟୁରିଟି ଗାର୍ଡ ଆସିବା ପରେ ସେ ସେଠାରୁ ଚାଲି ଆସିଥିଲେ। ଦ୍ବିତୀୟ ଓ ତୃତୀତ ଥର ସର୍ଟସର୍କିଟ ହୋଇ ଲାଇନ ଚାଲି ଯିବାରୁ ଏଟିଏମ ମେସିନ କାମ କରି ନଥିଲା। ଶେଷ‌ରେ ସେ ବହୁ ଚେଷ୍ଟା କରି ଏଟିଏମ ମେସିନ କାଟୁଥିବା ବେଳେ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ।