ବର ବାଟକୁ ଚାହିଁ ରହିଥିଲା କନ୍ୟା,ବିବାହ ପୂର୍ବରୁ ନାବାଳକ ବନ୍ଧୁ ସହ ଫେରାର ହୋଇଗଲା ବର !

ଚଣ୍ଡିଗଡ଼ : ହରିୟାଣାର ଯମୁନାନଗରରେ ବିବାହର ଠିକ୍‌ ପୂର୍ବରୁ ବର ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ଜଣଙ୍କ ସହ ପ୍ରେମ ସଂପର୍କ ଏହାର କାରଣ ବୋଲି ଜଣାପଡ଼ିଥିବା ବେଳେ ବରର ପ୍ରେମିକା ଜଣେ ପୁରୁଷ ବୋଲି ଜଣା ପଡ଼ିବା ପରେ କନ୍ୟାପକ୍ଷ ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି । ବରକୁ ୨୫ବର୍ଷ ହୋଇଥିବା ସେ ଜଣେ ନାବାଳକଙ୍କ ସହ ଫେରାର ହୋଇଥିବା ସୂଚନା ମିଳିଛି । କିଛି ଦିନ ତଳେ ସମଲୈଙ୍ଗିକ ସଂପର୍କକୁ ଅଦାଲତରୁ ସ୍ୱୀକୃତି ମିଳିବା ପରେ ବର ନିଜ ବିବାହ ଭାଙ୍ଗି ଏଭଳି ନିଷ୍ପତ୍ତି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

oneindia.com

ସୂଚନା ମୁତାବକ,୨୫ବର୍ଷିୟ ଯୁବକଙ୍କ ବିବାହ ସେପ୍ଟେମ୍ବର ୧୧ରେ ଠିକ୍‌ କରାଯାଇଥିଲା । ଦୁଇ ବର୍ଷ ପୂର୍ବରୁ ଯୁବକଙ୍କ ନିର୍ବନ୍ଧ ହୋଇଥିବା ବେଳେ ସେପ୍ଟେମ୍ବର ୧୧ରେ ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା । ବିବାହ ପୂର୍ବଦିନ କନ୍ୟା ପକ୍ଷରୁ ସଙ୍ଗୀତ୍‌ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବର ନିଜ ନାବାଳକ ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଉଥିବା କହି ଚାଲି ଯାଇଥିଲେ । କିନ୍ତୁ ପରେ ଆଉ ଘରକୁ ଫେରି ନ ଥିଲେ । ଏହା ପରେ ବରର ପରିବାର ଲୋକେ ପୁଲିସରେ ସୂଚନା ଦେଇଥିଲେ । ବିବାହ ପୂର୍ବରୁ ବରର ନାବାଳକଙ୍କ ସହ ବଢ଼ୁଥିବା ସଂପର୍କ ଉପରେ ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ବିବାହ ନ କରିବା ପାଇଁ କହୁଥିଲେ ବରର ନାବାଳକ ବନ୍ଧୁ । ଅନ୍ୟ ପକ୍ଷରେ କନ୍ୟାପକ୍ଷ ବରର ଏପରି ବ୍ୟବହାର ବିଷୟରେ ନ ଜଣାଇ ବିବାହ ଠିକ୍‌ କରିଥିବାରୁ ବରପକ୍ଷ ବିରୋଧରେ ମାମଲା ରୁଜୁ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଏହା ସମଲୈଙ୍ଗିକ ସଂପର୍କ ବୋଲି ଜଣା ପଡ଼ୁଥିବା ବେଳେ ପ୍ରକୃତ ଘଟଣା କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର