ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗରରେ ବର ସମେତ ବରଯାତ୍ରୀଙ୍କୁ ରାସ୍ତାରେ ହଟହଟା ହେବାକୁ ପଡ଼ିଥିଲା। କନ୍ୟାଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବରଯାତ୍ରୀଙ୍କୁ ପୁଲିସକୁ ଅନେକ କାକୁତିମୀନତି ହେବାକୁ ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ସୂଚନାଯୋଗ୍ୟ, ଗତମଙ୍ଗଳବାର ସହାରନପୁର ଭାୟଲା ଗ୍ରାମରୁ ଅଙ୍କିତ ନାମକ ଯୁବକ ବର ସାଜି ବରଯାତ୍ରୀଙ୍କୁ ନେଇ ମେରଠର କୁସାବଲି ଗ୍ରାମକୁ ଯାଉଥିଲେ। ଏହି ଯାତ୍ରା ସମୟରେ ବର ଅଙ୍କିତ ଦିଲ୍ଲୀ-ଦେରାଡୁନ ଜାତୀୟ ରାଜପଥରେ କାର ଛାତ ଉପରେ ଷ୍ଟଣ୍ଟ ଦେଖାଉଥିଲେ।
ଏହି ଘଟଣା ଯେତେବେଳେ ପୁଲିସ ପାଖରେ ପହଞ୍ଚିଥିଲା ବରଯାତ୍ରୀଙ୍କୁ ଜାତୀୟ ରାଜପଥରେ ହଟହଟା ହେବାକୁ ପଡ଼ିଥିଲା। ସଙ୍ଗେସଙ୍ଗେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବର ସମେତ ତାଙ୍କ ଏସୟୁଭି ଗାଡ଼ିକୁ ଥାନାକୁ ଘୋଷାଡି ନେଇଥିଲା।
ସେପଟେ କନ୍ୟାଘର ଲୋକ ବର ଅଙ୍କିତଙ୍କ ସମେତ ବରଯାତ୍ରୀଙ୍କ ସ୍ବାଗତ ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ପୁଲିସ ଅଙ୍କିତଙ୍କୁ ଛାଡ଼ି ନଥିଲା। ଏହି ଅପରାଧ ପାଇ ଯେଉଁ ସବୁ ନିୟମ ରହିଛି ତାହାକୁ ପୁଲିସ ଆପଣାଇବା ସହିତ ବର ବିରୋଧରେ ମାମଲା ବି ରୁଜୁ କରିଥିଲା।
ଅଙ୍କିତଙ୍କ ସମେତ ବରଯାତ୍ରୀ ପୁଲିସ ନିକଟରେ ଅନେକ ସମୟ ଧରି କାକୁତିମୀନତି ହୋଇଥିଲେ ହେଁ କିଛି ଲାଭ ହୋଇ ନଥିଲା। ସମ୍ପୂର୍ଣ୍ଣ ଯାଞ୍ଚ ପରେ ବିନା ବାଣ, ବାଜାରେ ବରଯାତ୍ରୀ ଧରି ମନ ଦୁଃଖରେ ଅଙ୍କିତ ବିବାହ ପାଇଁ କନ୍ୟା ଘରେ ପହଞ୍ଚିଥିଲେ।