ଢାବାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଗାଡ଼ି ଭଙ୍ଗାରୁଜା

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନ ସିପେଟ୍‌ ଛକ ବାବା କା ଢାବା ନିକଟରେ ଆଜି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ କିଛି ଯୁବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଏକ ଗୋଷ୍ଠୀର ଯୁବକଙ୍କୁ ମାଡ଼ ମାରିବା ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ପାଇ ଇନ୍‌ଫୋସିଟି ଥାନା ପିସିଆର୍‌ ପହଞ୍ଚି ଉତ୍ତ୍ୟକ୍ତ ଯୁବକଙ୍କୁ ବୁଝାସୁଝା କରିବା ସହ ଗଣ୍ଡଗୋଳ କରୁଥିବା ଯୁବକମାନଙ୍କ ମଧ୍ୟରୁ ୨ଜଣଙ୍କ କାବୁ କରିଛି। ସୂଚନା ମୁତାବକ ଇନ୍‌ଫୋସିଟି ଛକ ଓ ତା’ର ଆଖପାଖ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବାରୁ ଯୁବକମାନେ ଢାବାରେ ବସି ଖାଦ୍ୟ ଖାଇବା ସହ ମଦ୍ୟପାନ କରୁଥିଲେ। ସେହି ଢାବାରେ ଆଉ କିଛି ଯୁବକ ପହଞ୍ଚିବା ପରେ ଦୁଇ ଗୋଷ୍ଠୀର ଯୁବକଙ୍କ ମଧ୍ୟରେ ବଚସା ଓ ପରେ ହାତାହାତି ହୋଇଥିଲା। ଏଥିରେ ଢାବାର ଆସବାବପତ୍ର,  ବାଇକ୍‌ ଓ କାର୍‌ ଭଙ୍ଗାରୁଜା ହୋଇଥିଲା। ଜଣେ ଢାବା ମାଲିକଙ୍କ କହିବା ଅନୁଯାୟୀ ପୁଲିସ ପ୍ରତି ଦିନ ସେହି ଛକରୁ ତଣ୍ଡ ଆଦା କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଥାଏ। ଯାହାନେଇ ଯୁବକମାନେ ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ କରିବା ସହିତ ଆତଙ୍କ ସୃଷ୍ଟି କରନ୍ତି। ଏସବୁ ଘଟଣା ନେଇ ପୁଲିସ୍‌ ନିକଟରେ ସୂଚନା ଥିଲେ ମଧ୍ୟ  କୌଣସି ପଦକ୍ଷପ ନିଆଯାଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର