ଜରିପାଟଣାରେ ଉତ୍ତେଜନା : ଜମିବାଡ଼ି ବିବାଦରୁ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହାଇଟେକ୍‌ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ ଉଭୟ ପରିବାର ପକ୍ଷରୁ ମଞ୍ଚେଶ୍ୱର ଥାନା ଅଭିଯୋଗ ହୋଇଛି। ପୁଲିସ ଦୁଇ ପକ୍ଷଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଉଭୟ ପକ୍ଷର ୬ ଜଣଙ୍କୁ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନାନୁଯାୟୀ ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗାଁର ସନ୍ତୋଷ ବେହେରା ଓ ଦୁଲ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜାଗାବାଡ଼ି ବିବାଦ ଥିଲା। ଆଜି ଏହି ଘଟଣାକୁ ନେଇ ଉଭୟ ପରିବାର ମୁହାଁମୁହିଁ ହୋଇଥିଲେ। ଦୁଲ ବେହେରା ଓ ତାଙ୍କ ପରିବାରର ସଦସ୍ୟମାନେ ସନ୍ତୋଷ ଘରେ ଥିଲା ବେଳେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସନ୍ତୋଷଙ୍କ ପରିବାରର ସାତ ଜଣ ଆହତ ହୋଇଛନ୍ତି ବୋଲି ସନ୍ତୋଷ ଅଭିଯୋଗ କରିଛନ୍ତି। ସେହିପରି ସନ୍ତୋଷଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ ଦୁଲଙ୍କ ପରିବାର ଲୋକ ମଧ୍ୟ ଆହତ ହୋଇଛନ୍ତି।

ପରସ୍ପର ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଗୋଟିଏ ପକ୍ଷର ପୂର୍ଣିମା ବେହେରା, ହିମାଂଶୁ ବେହେରା, ଆହତ ହୋଇଥିବାବେଳେ ଅନ୍ୟପକ୍ଷର ସୁଶାନ୍ତ ବେହେରା, ରେଣୁବାଳା ବେହେରା, ଭୀମସେନ ବେହେରା ଓ ପ୍ରଶାନ୍ତ ବେହେରା ପ୍ରମୁଖ ଆହତ ହୋଇଛନ୍ତି। ସମସ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ପରସ୍ପର ହାତରେ ଠେଙ୍ଗା, କଟୁରି ଓ ଲୁହାରଡ଼ ଧରି ଆକ୍ରମଣ କରିଥିଲେ। ଏହି ଘଟଣା ଜରିପାଟଣା ଗାଁରେ ଆତଙ୍କ ଖେଳାଇ ଦେଇଥିଲା। ଏ ନେଇ ଗ୍ରାମବାସୀ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ପରେ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର