ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷଦୁଇ ଗୋଷ୍ଠୀ ମାର୍‌ପିଟ୍‌ ଜଣେ ଗିରଫ, ୪ ଆହତ

କାର୍ ଓ ପିସିଆର୍ ଭଙ୍ଗାରୁଜା

ଖଣ୍ଡଗିରି: ଶୁକ୍ରବାର ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ବରମୁଣ୍ଡା ଓ ହାଉସିଂ ବୋର୍ଡ କଲୋନି ଯୁବକମାନଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଦୁଇ ପକ୍ଷରୁ ପ୍ରାୟ ୪ ଜଣ ଆହତ ହୋଇଥିବାବେଳେ ଗୋଟିଏ ହୋଟେଲ୍‌, ଗୋଟିଏ କାର୍ ଓ ଖଣ୍ଡଗିରି ଥାନା ପିସିଆର୍(୩୫) କ୍ଷତିଗ୍ରସ୍ତ ହୋଇଛି। ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି। ନୂଆପଲ୍ଲୀ ଥାନା ପୁଲିସ ବରମୁଣ୍ଡାର ଦୀପକ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଶୁକ୍ରବାର ଦୀପକ ସ୍ବାଇଁ ନିଜ ବାଇକ୍‌ ଯୋଗେ ରେଣ୍ଟାଲ କଲୋନିରୁ ବରମୁଣ୍ଡା ଫେରୁଥିଲେ। ସେ ହେଟେଲ୍‌ ଟିଫିନ୍ ସେଣ୍ଟର ନିକଟରେ ପହଞ୍ଚିଥିବାବେଳେ ସେଠାରେ ବସିଥିବା ହାଉସିଂ ବୋର୍ଡ କଲୋନିର ଦୀପକ ମିଶ୍ର ଓ ତାଙ୍କ ବନ୍ଧୁମାନଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ଦୀପକଙ୍କ ସହ ଥିବା ଟୁଲୁ ନାମକ ଜଣେ ଯୁବକ ଓ ଦୀପକ ସ୍ବାଇଁଙ୍କ ମଧ୍ୟରେ କଥା କଟାକଟି ହେଉ ହେଉ ହାତାହାତି ହୋଇଗଲା। ଦୀପକ ମିଶ୍ରଙ୍କ ଗୋଷ୍ଠୀଠାରୁ ମାଡ଼ ଖାଇ ଦୀପକ ସ୍ବାଇଁ ଗାଁକୁ ପଳାଇଥିଲେ। ପ୍ରାୟ ୧୨ ଜଣ ସାଙ୍ଗଙ୍କୁ ଧରି ପୁଣି ଉକ୍ତ ହୋଟେଲ ପାଖରେ ପହଞ୍ଚିଥିଲେ। ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିଲା ପିଟାପିଟି। ଖବର ପାଇ ଖଣ୍ଡଗିରି ଥାନା ପିସିଆର୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ଗଣ୍ଡଗୋଳକାରୀଙ୍କ ଆକ୍ରମଣରେ ତାହା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପରେ ପରେ ନୂଆପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ପୁଲିସ ମିଳିତଭାବେ ଗଣ୍ଡଗୋଳକାରୀମାନଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ଏ ନେଇ ଦୀପକ ସ୍ବାଇଁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବାବେଳେ ଦୀପକ ମିଶ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ଦୀପକ ସ୍ବାଇଁଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର