ନୋଏଡା: ଚକିରି ଖୋଜିବା ପାଇଁ ଜଣେ ଯୁବକଙ୍କ ସାହାଯ୍ୟ ନେବା ଯୁବତୀଙ୍କୁ ଭାରି ପଡ଼ିଛି। ଚାକିରି ନ ମିଳିବା ସହ ଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ଭଲ ବନ୍ଧୁ ବୋଲି ଭାବି ବିଶ୍ବାସ କରୁଥିବା ଯୁବକ ହିଁ ତାଙ୍କ ଇଜ୍ଜତ ଲୁଟିନେବ, ତାହା ଯୁବତୀଙ୍କୁ ଜଣା ନଥିଲା। ଘଟଣାଟି ବୁଧବାର ଘଟିଥିବା ବେଳେ ଏବେ ୫ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି ପୁଲିସ।
ସୂଚନା ମୁତାବକ, ବୁଧବାର ପୀଡ଼ିତାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଗୌତମ ବୁଦ୍ଧ ନଗର ପାଖରେ ଥିବା ପାର୍କକୁ ଡ଼କାଇଥିଲେ ତାଙ୍କ ବନ୍ଧୁ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ଚାକିରି ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ସମୟରେ ପାର୍କରେ ଉପସ୍ଥିତ ଥିବା ଅନ୍ୟ ୪ଜଣ ଯୁବକ ସେଠାରେ ପହଞ୍ଚି ପୀଡ଼ିତାଙ୍କ ବନ୍ଧୁଙ୍କୁ ରୋକିବା ସହ ସେଠାରୁ ଯିବା ପାଇଁ କହିଥିଲେ। କିନ୍ତୁ ପ୍ରଥମ ଅଭିଯୁକ୍ତ ଯିବା ପରେ ରୋକିଥିବା ୪ଜଣ ମିଶି ପୀଡ଼ିତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ। ଏଭଳି ଘଟଣା ପରେ ପୀଡ଼ିତା ଫେଜ୍-୩ ପୁଲିସ ଷ୍ଟେସନରେ ପହଞ୍ଚି ନିଜ ସହ ଘଟିଥିବା ଅପରାଧର ଅଭିଯୋଗ କରିଥିଲେ। ଏବେ ଅଭିଯୋଗ ପାଇ ୪ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣଙ୍କୁ ଖୋଜିବା ଚାଲୁ ରଖିଛି ପୁଲିସ।