ଅଭିଭାବକଙ୍କ ମାଡ଼ରେ ଡାକ୍ତରଙ୍କ ମୁହଁ ଫାଟିଲା

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଗୋତଳ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲକୁ ଆଜି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଜଣେ ଡାକ୍ତରଙ୍କୁ ମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଡାକ୍ତର ମାନବ ମଧୁଜିତ୍‌ ଅପରାହ୍ଣରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ଗ୍ରାମର ସଂଜୟ ପ୍ରଧାନ (୪୫) ନାମକ ଜଣେ ବ୍ୟକ୍ତି ତାଙ୍କୁ ମାଡ଼ ମାରଥିବା ନେଇ ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସଂଜୟଙ୍କ ମାଡ଼ରେ ଡାକ୍ତର ମଧୁଜିତଙ୍କ ଚଷମା ଭାଙ୍ଗିଯିବା ସହ ମୁହଁ ଓ ଗାଲ ଫାଟିଯାଇଛି। ସେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ମାନବଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ କେସ୍‌ ନମ୍ବର ୩୦୦/ ୧୭ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୁଜିତ୍‌ ଦାସ କହିଛନ୍ତି। ଅନ୍ୟପକ୍ଷରେ ସହକର୍ମୀ ଡାକ୍ତରଙ୍କୁ ମାଡ଼ ମାରିବା ବିରୋଧରେ ଏଠାରେ କାର୍ଯ୍ୟରତ ଥିବା ଅନ୍ୟ ସମସ୍ତ ଡାକ୍ତର କାର୍ଯ୍ୟବନ୍ଦ କରିବା ଆଶଙ୍କା ଥିବା ଦଷ୍ଟିରୁ ଘଟଣାର ଅପୋସ ସମାଧାନ ପାଇଁ ସବୁ ମହଲରେ ଉଦ୍ୟମ ଚାଲିଛି। ସଂପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ସେଠୀଙ୍କ ସମେତ ସତ୍ୟଭାମାପୁର ସରପଞ୍ଚ ଉମାକାନ୍ତ ଆଚାର୍ଯ୍ୟ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ୍ତ ସାହୁଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ହେଲେ ଏଥିରେ କିଛି ଫଳ ମିଳି ନଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ସୂଚନାନୁଯାୟୀ ଉପରୋକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ହୋମିଓପ୍ୟାଥିକ୍‌ ଡାକ୍ତର ମାନବଙ୍କ ସମେତ ଷ୍ଟାଫ୍‌ନର୍ସ ସ୍ୱର୍ଣ୍ଣଲତା ବାରିକ୍‌ ଓ ଅନ୍ୟଜଣେ କର୍ମଚାରୀ ଆଜି ଦିନ ଗୋଟାଏ ବେଳେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଡ୍ୟୁଟିରେ ଗୋତଳ ଗ୍ରାମ ସ୍କୁଲକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ଶିକ୍ଷୟିତ୍ରୀ କିମି ହାଂସଦା, ସୁଭ୍ରତା ରାଉତରାୟ, ସୁନୀତା ସାହୁ, ରଶ୍ମିତା ମାହାରି ପ୍ରମୁଖଙ୍କ ଉପସ୍ଥିତିରେ ଏହି ଡାକ୍ତରୀ ଦଳ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ସ୍ଥାନୀୟ ଅଭିଭାବକ ସଂଜୟ ସେଠାରେ ପହଞ୍ଚି ଡାକ୍ତରଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂଜୟ ଡାକ୍ତରଙ୍କୁ ଏକ ଶକ୍ତ ଥାପଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଅପରପକ୍ଷରେ ସ୍କୁଲର ଛୋଟଛୋଟ ପିଲାଙ୍କ ସେବାରେ ଡାକ୍ତରଖାନାର ଚରମ ଅବହେଳା ନେଇ ସଂଜୟ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର