ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ପ୍ରଧାନଶିକ୍ଷକ ଜଣେ ଶିକ୍ଷକଙ୍କୁ ଶକ୍ତ ଚାପୁଡ଼ା ମାଡ଼ ମାରୁଥିବାର ଦେଖିବାକୁ ମିଳୁଛି।

Advertisment

ଏହି ଭାଇରାଲ ଭିଡିଓଟି ଗୁଜରାଟର ବୋଲି କୁହାଯାଉଛି। ଛାତ୍ରମାନଙ୍କୁ ପାଠପଢ଼ାଇବା ନେଇକୁ ନେଇ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ଯାହା ଏଭଳି ଉଗ୍ର ରୂପ ନେଇଥିଲା।  ସ୍କୁଲରେ ଲାଗିଥିବା ସିସିଟିଭିରେ ଦୁଇଶିକ୍ଷକଙ୍କ ମଧ୍ୟରେ ଲାଗିଥିବା ଝଗଡ଼ାର ଦୃଶ୍ୟ କଏଦ ହୋଇଯାଇଥିଲା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାଟି ଗୁଜରାଟର ଭରୁଚରେ ଥିବା ନବଯୁଗ ସ୍କୁଲରେ ଘଟିଛି। ପ୍ରଧାନ ଶିକ୍ଷକ ହିତେନ୍ଦ୍ର ସିଂହ ଠାକୋର ଶିକ୍ଷକ ରାଜେନ୍ଦ୍ର ପରମାରଙ୍କୁ ମାଡ଼ ମାରୁଥିବାର ଭିଡିଓ ଦେଖିବାକୁ ମିଳୁଛି। 

ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରେଣୀରେ ଗଣିତ ଏବଂ ବିଜ୍ଞାନ ପାଠପଢ଼ାକୁ କେନ୍ଦ୍ର କରି ଶିକ୍ଷକ ପରମାରଙ୍କ ନାମରେ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ପ୍ରଧାନଶିକ୍ଷକ ଶିକ୍ଷକ ପରମାରଙ୍କୁ ଅଭିଯୋଗ ବିଷୟରେ ପଚାରିଥିଲେ ସେ ଯୁକ୍ତି କରିବା ଆରମ୍ଭ କରି ଦେଇଥିଲେ। 

ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ଶ୍ରେଣୀଗୃହରେ ଖରାପ ବ୍ୟବହାର କରିବା ସହିତ ଅଶ୍ଳୀଳ ଭାଷାରେ ଗାଳି କରିଥିଲେ। ସ୍କୁଲ ପରିସରରେ ଶିକ୍ଷକଙ୍କ ମୁହଁରୁ ଅଶ୍ଳୀଳ ଭାଷା ଶୁଣି ମୁଁ ମୋ ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲି। ତେଣୁ  ପରମାରଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲି।

ଶିକ୍ଷକ ପରମାର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ସାର ହିତେନ୍ଦ୍ର ସିଂହ ଠାକୋର ପିଲାଙ୍କୁ ଘରକୁ ଡକାଇ ତାଙ୍କର ଗୋଡ଼ ଘସିବାକୁ କହୁଥିଲେ। ଏନେଇ ପିଲାମାନେ ଅନେକ ଥର ଅଭିଯୋଗ ବି କରିଛନ୍ତି। ମୁଁ ହିତେନ୍ଦ୍ର ସିଂହ ଠାକୋରଙ୍କୁ ଏହି କଥା କହିବାରୁ ସେ ମୋତେ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ।

ଉଭୟ ଶିକ୍ଷକଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି। ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଯେ କାହିଁକି ଝଗଡ଼ା ହେଲା ଏବଂ ଉଭୟଙ୍କ ଅଭିଯୋଗର ସତ୍ୟତା କ'ଣ ରହିଛି।