ଅହମଦାବାଦ: ରବିବାର ଦିନ ଗୁଜରାଟର ଭବନଗର ଠାରେ ସ୍ତ୍ରୀ ସହ ଝଗଡ଼ା କରି ଜଣେ ଗୁଜରାଟ ପୁଲିସ କନେଷ୍ଟବଳ ତାଙ୍କର ୩ ରୁ ୮ ବର୍ଷ ମଧ୍ୟରେ ତିନି ପୁଅଙ୍କୁ ହତ୍ୟା କରିଛନ୍ତି।

Advertisment

ସ୍ତ୍ରୀ ସହ ଯୁକ୍ତିତର୍କ କରିବା ପରେ ସୁଖଦେବ ସିୟାଲ୍‌ ତାଙ୍କୁ ଗୋଟାଏ କୋଠରିରେ ପୂରାଇ କବାଟ ଦେବା ପରେ ନିଜ ତିନି ପୁଅଙ୍କ ଗଳା କାଟି ପକାଇଥିଲେ। ସେ ବାଳକମାନେ ହେଉଛନ୍ତି: ୮ ବର୍ଷିୟ ଖୁସ୍‌ହାଲ୍‌, ୫ ବର୍ଷିୟ ଉଦ୍ଧବ ଏବଂ ୩ ବର୍ଷିୟ ମନ୍‌ମୀତ୍‌।

ଏହା ପରେ ଅଭିଯୁକ୍ତ କନେଷ୍ଟବଳ ଥାନାକୁ ଫୋନ୍‌ କରି ଏ କଥା କହିଥିଲେ। ତାଙ୍କର ସହକର୍ମୀମାନେ ତାଙ୍କ ପୁଲିସ ଆବାସିକ କ୍ୱାର୍ଟସ୍‌ରେ ପହଞ୍ଚି ହତବାକ ହୋଇଯାଇଥିଲେ।

publive-image Representative Image

ପୁଲିସମାନେ ତାଙ୍କ ପତ୍ନୀଙ୍କୁ ସେ ବନ୍ଦ କୋଠରିରୁ ଉଦ୍ଧାର କରିବା ପରେ ଦେଖିଲେ ସିୟାଲ୍‌ ଛୁରି ଧରି ଗୋଟାଏ କଣରେ ବସିଛନ୍ତି। ରକ୍ତରଞ୍ଜିତ ତିନି ପିଲାଙ୍କ ନିର୍ଜୀବ ଦେହ କୋଠରିର ଗୋଟେ ପଟକୁ ପଡ଼ିଛି।

ସିୟାଲ୍‌ ପୁଲିସକୁ କହିଲେ କି, ଶୁକ୍ରବାର ଦିନ ବଡ଼ପୁଅର ଜନ୍ମଦିନ ପାଳନ ବେଳେ ସ୍ତ୍ରୀ ସହ ଭୀଷଣ ଝଗଡ଼ା ହୋଇଥିଲା। ଶୁକ୍ରବାର ପୂର୍ବରୁ ମଧ୍ୟ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା।

ସିୟାଲ୍‌ଙ୍କୁ ଗିରଫ କରି ପୁଲିସ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ହେଉଥିବା କଳହର କାରଣ ସମ୍ପର୍କରେ ତଦନ୍ତ କରୁଛି।