ଅହମଦାବାଦ: ପାଇପ୍ ଯୋଗେ ହୋଟେଲର ଚତୁର୍ଥ ମହଲାକୁ ଯାଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କଲେ ଯୁବକ। ଘଟଣାଟି ସୋମବାର ଅହମଦାବାଦର ନରୋବାରେ ଘଟିଥିବା ଜଣାପଡ଼ିଛି। ଭୋର ୩.୩୦ସମୟରେ ଅଭିଯୁକ୍ତ ଏଭଳି ପାଇପ୍ ଯୋଗେ ରୁମକୁ ଯିବା ଓ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତଙ୍କ ନାମ ପାର୍ଥ ପଟେଲ ବୋଲି ଜଣାପଡ଼ିଛି।
ନରୋଦା ପୁଲିସ ଷ୍ଟେସନରେ ଦାଖଲ ହୋଇଥିବା ଏତଲାରେ ୨୬ ବର୍ଷୀୟା ମହିଳା କହିଛନ୍ତି ଯେ, ଘରର ମରାମତି କାମ ଚାଲିଥିବାରୁ ପୀଡ଼ିତା ତାଙ୍କ ସ୍ୱାମୀଙ୍କ ସହ ନରୋଦା-ମୁଠିଆ ଅଞ୍ଚଳରେ ଥିବା ହୋଟେଲରେ ଦେଢ଼ ମାସ ହେଲାଣି ରହୁଥିଲେ। ପୀଡ଼ିତାଙ୍କ ଗତିବିଧି ଉପରେ ନଜର ରଖିଥିବା ପାର୍ଥ ଘଟଣା ଦିନ ସୁଯୋଗକୁ ଅପେକ୍ଷା କରି ରହିଥିଲା। ଭୋର ୩.୩୦ ସମୟରେ ପୀଡ଼ିତାଙ୍କ ସ୍ବାମୀ ଖାଦ୍ୟ ଆଣିବା ପାଇଁ ବାହାରକୁ ଯିବା ପରେ ଅଭିଯୁକ୍ତ ପାର୍ଥ ପାଇପ୍ ଯୋଗ ପୀଡ଼ିତା ରହୁଥିବା ଚତୁର୍ଥ ମହଲାକୁ ଯାଇଥିଲା। ସେଠାରେ ପହଞ୍ଚିବା ପରେ ପୀଡ଼ିତା ଖଟ ଉପରେ ଶୋଇଥିବା ଦେଖି ଅଭିଯୁକ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା। ପୀଡ଼ିତା ବହୁତ ଚେଷ୍ଟା କରି ରୁମରୁ ବାହାରିବାକୁ ସଫଳ ହେବା ସହ ପାଟି କରି ସାହାଯ୍ୟ ମାଗିଥିଲେ। ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ବାମୀ ଓ ହୋଟେଲର ଅନ୍ୟ କର୍ମଚାରୀ ପୀଡ଼ିତାଙ୍କ ପାଖକୁ ଆସିବା ପରେ ଅଭିଯୁକ୍ତ ପାର୍ଥ ପଟେଲ ପୀଡ଼ିତାଙ୍କ ସ୍ବାମୀଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରିଥିଲା।
ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ବଢ଼ିବାରୁ ହୋଟେଲ କର୍ମଚାରୀ ପୁଲିସକୁ ସୂଚନା ଦେଇ ପୂରା ଘଟଣା ଜଣାଇଥିଲେ। ଫୋନ କଲ୍ ପାଇ ପୁଲିସ ହୋଟେଲରେ ପହଞ୍ଚିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି।