ନୂଆଦିଲ୍ଲୀ: ଗୁଜୁରାଟର ଅହମଦାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୩ମାସର ନବଜାତ ଶିଶୁକୁ ହସ୍ପିଟାଲର ତୃତୀୟ ମହଲାରୁ ତଳକୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଆଉ ତଳେ ପଡ଼ିଯିବାରୁ ନବଜାତର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ନିଜ ଶିଶୁକୁ ମୃତ ଅବସ୍ଥାରେ ପାଇ ଭୋଭୋ ହୋଇ କାନ୍ଦିଥିଲା ମା’।
ଶିଶୁକୁ ହସ୍ପିଟାଲ ଛାତ ଉପରୁ ଫିଙ୍ଗି ଦେବା ପରେ ପିଲା ଚୋରି ହୋଇଛି ବୋଲି କହିଥିଲା ମା’। ତେବେ ପୁଲିସ ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଆଉ ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମା’ର ନାମ ଫରଜାନା ବାନୋ ବୋଲି ଜଣାପଡ଼ିଛି।
ଗିରଫ ପରେ ଏପରି ପଦକ୍ଷେପ କାହିଁକି ଉଠାଇଥିଲେ ବୋଲି ମା’କୁ ପୁଲିସ ପଚାରିବାରୁ ସେ ଭୋଭୋ ହୋଇ କାନ୍ଦିଥିଲେ ଆଉ କହିଥିଲେ, ‘ନିକଟରେ ମୁଁ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲି। ଜନ୍ମ ପର ଠାରୁ ଶିଶୁର ସ୍ବାସ୍ଥ୍ୟ ଭଲ ରହୁ ନଥିଲା। ଡାକ୍ତର କହିଥିଲେ ଶିଶୁର ପେଟରେ ମଇଳା ପାଣି ଜମି ରହିଥିବାରୁ ଶିଶୁ ସ୍ବାସ୍ଥ୍ୟ ଭଲ ରହୁ ନାହିଁ। ଏଥିପାଇଁ ବଡ଼ୋଦରାର ସୟାଜୀ ହସ୍ପିଟାଲରେ ଭର୍ତ୍ତି କରିଥିଲୁ। ଏଠାରେ ଶିଶୁର ଅସ୍ତ୍ରୋପଚାର ସମୟରେ ତାର ଅନ୍ତନଳୀ ବାହରି ଆସିଥିଲା। ଆଉ ଶିଶୁର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସଙ୍ଗେସଙ୍ଗେ ତାକୁ ଅହମଦାବାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ।’
‘ଏଠାରେ ତାର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଆସୁ ନଥିବା ଡାକ୍ତରଙ୍କ ଠାରୁ ଶୁଣିବା ପରେ ମୁଁ ଭାଙ୍ଗି ପଡ଼ିଥିଲି, କ’ଣ କରୁଛି କ’ଣ ନାହିଁ କିଛି ଚିନ୍ତା କରି ନପାରି ମୋ ଶିଶୁକୁ ହସ୍ପିଟାଲ ତୃତୀୟ ମହଲାରୁ ତଳକୁ ଫିଙ୍ଗି ଦେଇଥିଲି।’