ଦୁଇ ବନ୍ଧୁକ ବେପାରୀ ଗିରଫ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ

ଖଣ୍ଡଗିରି: ଗୁରୁବାର ରାତିରେ କ୍ୟୁଏଟି ଓ ତମାଣ୍ଡୋ ଥାନା ପୁଲିସର ମିଳିତ ଉଦ୍ୟମରେ ଦୁଇ ଜଣ କୁଖ୍ୟାତ ବନ୍ଧୁକ ବେପାରୀ ଧରା ପଡ଼ିଛନ୍ତି। ସେମାନେ ହେଲେ, ୟୁନିଟ୍-୮ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ରହୁଥିବା କନ୍ଧମାଳ ଉଦୟଗିରି ପଧାନ କଲୋନିର ଅମି ନାଏକ (୨୭) ଓ ଖୋର୍ଧା ଧଉଳିମୁହଁରେ ରହୁଥିବା କନ୍ଧମାଳ ଦାରିଙ୍ଗିବାଡ଼ି ଗ୍ରୀନବାଡ଼ିର ରାଜୁ ସିଂହ(୪୫)। ପୁଲିସ ସେମାନଙ୍କଠାରୁ ଏକ ଦେଶୀ ପିସ୍ତଲ, ୬ ରାଉଣ୍ଡ ଜୀବନ୍ତ ଗୁଳି ଓ ଦୁଇଟି ବାଇକ୍ ଜବତ କରିଛି। ପୁଲିସ ସୂଚନାନୁସାରେ, ରାଜୁ ବନ୍ଧୁକ ନେଇ ଭୁବନେଶ୍ୱର ଆସୁଥିବା ଖବର ପାଇ କ୍ୟୁଏଟି ଟିମ୍ ତାର ପିଛା କରିଥିଲା। ତାକୁ ଅମି ତମାଣ୍ଡୋରେ ଅପେକ୍ଷା କରିଥିଲା। କ୍ୟୁଏଟିଠାରୁ ଖବର ପାଇ ତମାଣ୍ଡୋ ଥାନା ପୁଲିସ ମଧ୍ୟ ସମ୍ଭାବ୍ୟ ସ୍ଥାନରେ ଛକି ବସିଥିଲା। ଅମି ଓ ରାଜୁ ତମାଣ୍ଡୋ ପେଟ୍ରୋଲ ପମ୍ପ ନିକଟ‌ରେ ପହଞ୍ଚି ଲୁଟ୍‌ ଉଦ୍ୟମ କରିଥିଲେ। ଖଣ୍ଡଗିରି ସରକନ୍ତରା ଗାଁ ରାକେଶ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଅଟକାଇ ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ। ମାତ୍ର ଏତିକିବେଳେ କ୍ୟୁଏଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ରାଜୁ ଓ ଅମି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସେମାନେ ଭୁବନେଶ୍ୱର ଦିଗରେ ପଳାଉଥିବା ବେଳେ ତମାଣ୍ଡୋ ଥାନା ପୁଲିସ ହାବୁଡ଼ରେ ପଡ଼ିଥିଲେ। ରାଜୁ ଖୋର୍ଧାରେ ଏକ କ୍ରସରରେ ଗାଡ଼ି ଚାଳକ ଥିଲା ଓ କ୍ରସର ବନ୍ଦ ହେବା ପରେ ସେ ଅମି ସହଯୋଗରେ ପିସ୍ତଲ କାରବାର ଚଳାଇଥିଲା। କନ୍ଧମାଳରେ ତିଆରି ହେଉଥିବା ଦେଶୀ ପିସ୍ତଲ ଆଣି ସେମାନେ ଭୁବନେଶ୍ୱରରେ ବିକ୍ରି କରୁଥିଲା ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର