ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବଟି ଆଦାୟ

ଚନ୍ଦ୍ରଶେଖରପୁର,: ଚକେଇସିହାଣିରେ ଏକ ନିର୍ମାଣାଧୀନ କୋଠା କାମ କରୁଥିବା ଜଣେ ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ଯୁବକ ଦାଦା ବଟି ଆଦାୟ କରିବା ପାଇଁ ଉଦ୍ୟମ କରିଛି। ଏନେଇ ଠିକାଦାର ଜଣଙ୍କ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବାନେଇ ଉଦ୍ୟମ କରିବାରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ ଠିକାଦାର ଗଣେଶ ଓ ରସୁଲଗଡ଼ ଜଗନ୍ନାଥ ବିହାରରେ ରହୁଥିବା ଚିନୁ ଗତ କିଛି ଦିନ ହେବ ଚକେଇସିହାଣିରେ ନିଜ ଶ୍ରମିକମାନଙ୍କ ଦ୍ୱାରା କାମ କରୁଥିଲେ। ଗଣେଶଙ୍କ କାମରେ ଅଧିକ ଲାଭ ହେଉଥିଲା। ଗଣେଶର ଲାଭରୁ ଅଧିକ ଅର୍ଥ ଦାବି କରି ଚିନୁ ଠିକାଦାର ଗଣେଶଙ୍କୁ ବଟି ମାଗିଥିଲା। ମାତ୍ର ଗଣେଶ ଏହାର ପ୍ରତିବାଦ କରିଥିଲେ। ଏପରିକି ବଟି ଦେବାକୁ ମନା କରିଦେଇଥିଲେ। ଚିନୁ ଏଥିରେ ଉତ୍ତ୍ୟକ୍ତ ହୋଇ ବନ୍ଧୁକ ବାହାର କରି ଠିକାଦାରଙ୍କୁ ହତ୍ୟା ଉଦ୍ୟମ କରିବା ସହ ସମସ୍ତଙ୍କୁ ଧମକଚମକ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବାରେ ପୁଲିସ୍‌ ଚିନୁକୁ ଗିରଫକରିବା ନେଇ ଉଦ୍ୟମ ଜାରି ରଖିଛି। ଅପହପକ୍ଷରେ ଚିନୁ ନାମରେ ବାରଙ୍ଗ ଓ ରାଜଧାନୀରେ କିଛି ଥାନାରେ ବନ୍ଧୁକ ବେପାର ମାମଲା ରହିଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର