ସେବାନିବୃତ ବ୍ୟାଙ୍କରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲୁଟିନେଲେ ଫେସ୍‌ବୁକ୍‌ ପ୍ରେମିକା

ଗୁରୁଗ୍ରାମ: ଫେସ୍‌ବୁକ୍‌ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିବା ପରେ ଜଣେ ମହିଳା ଜନୈକ ସେବାନିବୃତ ବ୍ୟାଙ୍କରଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ନିଜକୁ ଜେନି ଆଣ୍ଡରସନ୍‌ ବୋଲି ପରିଚୟ ଦେଇ ଏହି ମହିଳା ଜଣକ ଲଣ୍ଡନରେ ତାଙ୍କର ଏକ ଗହଣା ଦୋକାନ ଥିବା କହିଥିଲେ। ଫେସ୍‌ବୁକ୍‌ ଜରିଆରେ କିଛି ଦିନ କଥା ହେବା ପରେ ପୀଡ଼ିତଙ୍କୁ ଦେଖା କରିବା ପାଇଁ ଭାରତ ଆସୁଛନ୍ତି ବୋଲି ଜେନି ଜଣାଇବା ପରେ ପୀଡ଼ିତ ଖୁସି ହୋଇ ଯାଇଥିଲେ । କିନ୍ତୁ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ବିନା କାଗଜ ପତ୍ରରେ ବିଦେଶୀ ମୁଦ୍ରା ନେଇ ଯାତ୍ରା କରୁଥିବାରୁ ତାଙ୍କୁ ୩୫ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଥିଲା । ଏ ବିଷୟରେ ପୀଡ଼ିତ ଜାଣିବା ପରେ ନିଜ ଆକାଉଣ୍ଟରୁ ୧୩ ଲକ୍ଷ ଏବଂ ଅନ୍ୟ ଠାରୁ ୨୨ ଲକ୍ଷ ଟଙ୍କା ଉଧାର ଆଣି ଜରିମାନା ଦେଇଥିଲେ ।

India TV

କିନ୍ତୁ, ପରେ ଘଟଣା ପଛର ସତ ଜାଣି ତାଙ୍କ ହୋସ ଉଡ଼ି ଯାଇଥିଲା । ସୂଚନା ମୁତାବକ, ମେ ୧୯ରେ ପୀଡ଼ିତଙ୍କ ପାଖକୁ ଜେନି ନାମକ ଜଣେ ମହିଳାଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା । ପୀଡ଼ିତ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଦୁହିଁଙ୍କ ମଧ୍ୟରେ କଥା ବାର୍ତ୍ତା ଆରମ୍ଭ ହୋଇ ଯାଇଥିଲା । ଧିରେ ଧିରେ ଦୁଇ ଜଣ ଫୋନ ମାଧ୍ୟମରେ କଥା ହେବାକୁ ଲାଗିଥିଲେ । ମେ୨୯ରେ ଜେନି ଭାରତ ଆସୁଛନ୍ତି ବୋଲି ପୀଡ଼ିତଙ୍କୁ ଜଣାଇଥିଲେ । ଜୁନ୍‌ ୧ରେ ସେ ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇବା ପରେ ଦିଲ୍ଲୀ ଯାଇ ସେଠାରେ ଗୋଟେ ସପ୍ତାହ ରହିବେ ବୋଲି ପୀଡ଼ିତଙ୍କୁ ଜଣାଇଥିଲେ । ଜୁନ୍‌ ୧ରେ ପୀଡ଼ିତଙ୍କୁ ପୂଜା ନାମକ ଏକ ମହିଳା ଫୋନ କରି ନିଜକୁ ଦେଶାନ୍ତର ଗମନ ବିଭାଗ (ଇମିଗ୍ରେସନ ଡ଼ିପାର୍ଟମେଣ୍ଟ)ର ଅଧିକାରୀ ବୋଲି ପରିଚୟ ଦେଇଥିଲେ । ମୁମ୍ବାଇ ବିମାନ ବନ୍ଦରରେ ତୁମ ସାଙ୍ଗ ଜେନି ବିନା କାଗଜପତ୍ରରେ ବିଦେଶୀ ମୁଦ୍ରା ନେଇ ଯାତ୍ରା କରୁଥିବାରୁ ତାଙ୍କୁ ଦିଲ୍ଲୀ ଯିବାକୁ ଦିଆଯାଉ ନାହିଁ ବୋଲି ଜଣାଇଥିଲେ । ଏହା ପରେ ଜେନି ଫୋନ ଧରି କାନ୍ଦିବା ସହ ପୀଡ଼ିତଙ୍କୁ ତାଙ୍କ ପାଇଁ ୩୫ ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ କହିଥିଲେ । ଜେନିଙ୍କ କାନ୍ଦ ଶୁଣି ଜୁନ୍‌ ୧ରୁ ଜୁନ୍‌ ୧୯ମଧ୍ୟରେ ପୀଡ଼ିତ ସବୁ ଟଙ୍କା ଦିଆଯାଇଥିବା ଆକାଉଣ୍ଟରେ ଜମା କରାଇଥିଲେ । ଜମା ସରିବା ପରେ ସେ ଜେନିଙ୍କୁ ଫୋନ ଯୋଗେ ସଂପର୍କ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସବୁ ସତ ଜାଣି ପାରିଥିଲେ । ୩୫ ଲକ୍ଷ ଟଙ୍କାର ଠକାମିର ଶିକାର ହେବା ପରେ ସେ ଶେଷରେ ପୁଲିସରେ ଅଭିଯୋଗ କରିଥିଲେ । ଯାହାର ତଦନ୍ତ ଏବେ ଜାରି ରହିଛି ।

ସମ୍ବନ୍ଧିତ ଖବର