ଗୁରୁଗ୍ରାମ: ଦୁଇ ମାସ ତଳୁ ୨ଟି ପେଟ୍ରୋଲ୍ ପମ୍ପ୍ ଲୁଟ୍ ମାମଲା ରୁଜ୍ଜୁ ହୋଇଥିବା ବେଳେ ସୋମବାର ହରିଆଣାର ଆମ୍ବଲା ଜିଲ୍ଲାରେ ପୁଲିସ୍ ଏହି ୨ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି। ପେଟ୍ରୋଲ୍ ପମ୍ପ୍ରେ କାମ କରୁଥିବା କର୍ମଚାରୀଙ୍କଠାରୁ ବନ୍ଧୁକ ମୁନ୍ରେ ଲୁଟ୍ କରିଥିବା ଲୁଟେରାଙ୍କୁ ଆମ୍ବଲା ପୁଲିସ୍ର ସିଆଇଏ ଗିରଫ କରିଥିବା ସୂଚନା ରହିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗୁରୁଦୀପ। ସେ ପେଟ୍ରୋଲ୍ ପମ୍ପ୍ରେ ପଶି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଥର ଲୁଟ୍ କରିଥିବା ଅଭିଯୋଗ ହୋଇଛି।
ସୂଚନା ରହିଛି ଯେ ପୂର୍ବରୁ ଅଭିଯୁକ୍ତ ଜାନୁଆରି ୨୪ ତାରିଖରେ ତା’ର କିଛି ସହଯୋଗୀଙ୍କ ସହ ମିଶି କୁରୁକ୍ଷେତ୍ର ଜିଲ୍ଲାର ଜାତୀୟ ରାଜପଥରେ ଥିବା ପେଟ୍ରୋଲ୍ ପମ୍ପ୍ରେ ପଶି ବନ୍ଧୁକ ମୁନରେ ନଗଦ ୧୫୦୦୦ ଟଙ୍କା ସହ ୧୨ କ୍ୟାନ୍ ପେଟ୍ରୋଲ୍ ଲୁଟ୍ କରିଥିଲା। ଏ ନେଇ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ରେ ଥିବା ସିକ୍ୟୁରିଟି ଗାର୍ଡ ଏକ ମାମଲା ରୁଜୁ କରିଥିଲେ।
ତା’ପରେ ଜାନୁଆରି ୨୭ ତାରିଖରେ ବଳଦେବ ନଗର ପୁଲିସ୍ ଷ୍ଟେସନ୍ରେ ଏକ ଅଭିଯୋଗ ଆସିଥିଲା ଯେ ୨ ଜଣ ଲୁଟେରା ଏକ ଗାଡ଼ିରେ ଆସି ଛତିଶଗଡ଼-ହିସାର ଜାତୀୟ ରାଜପଥରେ ଥିବା ପେଟ୍ରୋଲ୍ ପମ୍ପ୍ରୁ ବନ୍ଧୁକ ମୁନରେ ୧ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି।
ଏହି ୨ ମାମଲାକୁ କେନ୍ଦ୍ର କରି ପୁଲିସ୍ ୨ ଅଜଣା ବ୍ୟକ୍ତିଙ୍କ ନାମରେ ଏଫ୍ଆଇଆର୍ ଦର୍ଜ କରିଥିଲା। ଏହାପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଦୁଇଟି ଲୁଟ୍ ଘଟଣାର ଅଭିଯୁକ୍ତ ଗୁରୁଦୀପକୁ ପୁଲିସ୍ ଧରିବାରେ ସମର୍ଥ ହୋଇଛି।