ଚାକିରିରୁ ବିଦାହେବା ପରେ ବସ୍‌ଙ୍କୁ ଇ-ମେଲ୍‌ ଓ ମେସେଜ୍‌ ଜରିଆରେ ଦେଉଥିଲେ ହତ୍ୟା ଧମକ

ଗୁରୁଗ୍ରାମ: ହରିଆଣାର ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ମହିଳା ବସ୍‌ଙ୍କୁ ଧମକ ଦେବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଜାଣିବାକୁ ମିଳିଛି ‌ଯେ ଅଭିଯୁକ୍ତଙ୍କୁ ତାଙ୍କର ମହିଳା ମ୍ୟାନେଜର୍‌ ଚାକିରିରୁ କାଢ଼ି ଦେବା ପରେ ପ୍ରତିଶୋଧପରାୟଣ ହୋଇ ବ୍ୟକ୍ତି ଜଣକ ମହିଳା ମ୍ୟାନେଜର୍‌ଙ୍କ ପିଛା କରି ତାଙ୍କୁ ହଇରାଣ କରୁଥିଲେ।

ଏହି ଘଟଣା ଗୁରୁଗ୍ରାମର ଡିଏଲ୍‌ଏଫ୍‌ର ଏକ ବେସରକାରୀ ଅଫିସ୍‌ର। ପୀଡ଼ିତା ମ୍ୟାନେଜର ଜଣକ ଏ ନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ, ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରିବା ସହ ଜେଲ୍‌ ପଠାଯାଇଥିବା ସୂଚନା ରହିଛି।

୩୦ ବର୍ଷୀୟା ମହିଳା ଜଣକ ନିଜ ଅଭିଯୋଗରେ ପୁଲିସ୍‌କୁ କହିଛନ୍ତି ଯେ ସେ ଗୁରୁଗ୍ରାମର ଏକ ବେସରକାରୀ କମ୍ପାନିରେ ମ୍ୟାନେଜର୍‌ ଭାବେ କାମ କରନ୍ତି। ଅଭିଯୁକ୍ତ ବି ସେହି ଅଫିସ୍‌ରେ କାମ କରନ୍ତି। ମାତ୍ର ସେ କାମରେ ଏତେ ଭଲ ନଥିଲେ। ଯେଉଁ କାରଣରୁ କମ୍ପାନିକୁ ତାଙ୍କୁ ଚାକିରିରୁ କାଢ଼ିବାକୁ ପଡ଼ିଲା। ‌ସେବେଠାରୁ ସେ ତାଙ୍କ ପିଛା କରିବାରେ ଲାଗିଛନ୍ତି।

କେବଳ ସେତିକି ନୁହେଁ, ଅଭିଯୁକ୍ତ ଜଣକ ମହିଳାଙ୍କୁ ଫୋନ୍‌ ଏବଂ ଇ-ମେଲ୍‌ ଜରିଆ‌ରେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ମହିଳା ମ୍ୟାନେଜର୍‌ ଜଣକ ବହୁ ବାର ବୁଝାଇବାକୁ ଚେଷ୍ଟା କରି ମଧ୍ୟ ସେ ନବୁଝିବାରୁ ତାଙ୍କୁ ପୁଲିସ୍‌ ସହାୟତା ନେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର